Advertisement

ସିରିଜ୍‌ ଚୋରି: ମାର୍କେଟ୍‌ କମ୍ପ୍ଲେକ୍ସର ସିସିଟିଭି ଭାଙ୍ଗି ୪ ଦୋକାନରୁ ଲୁଟିନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ସାମ୍ନା ଅଶୋକ ସ୍ବାଇଁଙ୍କ ମାର୍କେଟ କମ୍ପ୍ଲେକ୍ସରେ ଥିବା ୪ ଦୋକାନର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ ସାମଗ୍ରୀ ଲାପଟପ୍‌ ଏବଂ ପ୍ରାୟ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି।

ଗୁରୁବାର ବିଳମ୍ବିତ ରାତିରେ ଏହି ଚୋରି ହୋଇଛି। ସନିଆ ଡାକୁଆଙ୍କ ସେଲୁନ, ଜନାର୍ଦ୍ଦନ ନାୟକଙ୍କ ହୋଟେଲ, ଅଜୟ ପ୍ରଧାନ ଓ ସୁମିତ ପଟ୍ଟନାୟକଙ୍କ ବେକେରୀ ଏବଂ ମନୋରଞ୍ଜନ ରାଉତଙ୍କ କୋଲ୍ଡ ବାର୍‌ର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଲୁଟ୍‌ପାଟ୍‌ କରିଛନ୍ତି। ସୁମିତ୍‌ଙ୍କ ଲାପ୍‌ଟପ୍‌ ସମେତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି। ସେହିପରି ମନୋରଞ୍ଜନଙ୍କ ଦୋକାନରୁ ବହୁ ପରିମାଣର ଖାଦ୍ୟ ସାମଗ୍ରୀ ସମେତ ୮ ହଜାର ଟଙ୍କା, ସନିଆଙ୍କ ସେଲୁନରୁ ୭ ହଜାର ଟଙ୍କା ସମେତ ବିଭିନ୍ନ ସାମଗ୍ରୀ ସମେତ ଅନ୍ୟାନ୍ୟ ଦୋକାନରୁ ଟଙ୍କା ପଇସା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି।

ମାର୍କେଟ କମ୍ପ୍ଲେକ୍ସରେ ଲଗାଯାଇଥିବା ସମସ୍ତ ସିସିଟିଭି କ୍ୟାମେରାକୁ ଦୁର୍ବୃତ୍ତମାନେ ମୋଡ଼ି ଭାଙ୍ଗି ଦେଇଛନ୍ତି। ମାର୍କେଟ କମ୍ପ୍ଲେକ୍ସ ପଛ ପଟେ ଦୁର୍ବୃତ୍ତମାନେ ଖାଲି ମନିପର୍ସ ଓ କିଛି ସାମଗ୍ରୀ ଫୋପାଡି ଫେରାର ହୋଇଯାଇଛନ୍ତି। ଦିଗପହଣ୍ଡି ଥାନା ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କମ୍ପ୍ଲେକ୍ସରେ ଥିବା ସିସିଟିଭି ହାର୍ଡ ଡିସ୍କ ଥାନାକୁ ନେଇ ଛାନ୍‌ଭିନ୍‌ ଚଳାଇଛି। ଏନେଇ ଥାନାରେ ଏତଲା ଦିଆଯାଇଛି। ଦିଗପହଣ୍ଡି ଅଞ୍ଚଳରେ ଦିନକୁ ଦିନ ଚୋରି ଘଟଣା ବଢ଼ିବାରେ ଲାଗିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: thieft