Advertisement

ଝରକା ଭାଙ୍ଗି ସୁନା, ରୁପା ଅଳଙ୍କାର ଲୁଟ୍‌

ନିରାକାରପୁର,୫।୭(ମାନସ ଚନ୍ଦ୍ର ପଟ୍ଟନାୟକ): ଝରକା ଗ୍ରିଲ ତାଡି ଦୁର୍ବୁତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର ସମେତ ଟଙ୍କା ଏବଂ ଆସବାପତ୍ର ଲୁଟି ନେଇଥିବା ଜଣାପଡିଛି। ଏନେଇ ନିରାକାରପୁରସାହିର କୃଷ୍ଣଚନ୍ଦ୍ର ଶତପଥୀ ଥାନାରେ ଏକ ଅଭିଯୋଗ କରିଛନ୍ତି। ଶତପଥୀ ଦେଇଥିବା ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ରାତିରେ ସ୍ବାମୀ ସ୍ତ୍ରୀ ଖାଇ ଶୋଇବାକୁ ଯାଇଥିଲେ। ସକାଳୁ ଉଠି ଦେଖିଲା ବେଳକୁ ତାଙ୍କର ଦାଣ୍ଡପାର୍ଶ୍ୱ ଝରକା ଗ୍ରିଲ ତଡା ହୋଇଥିବା ଦେଖିବାକୁ ପାଇଥିଲେ। ଏପରି କି ୨ଟି ଦସ୍ତାବାକ୍ସ ସମେତ କିଛି ଆସବାବ ଓ କିଛି ଖୁଚୁରା ଟଙ୍କା ଏଣେତେଣେ ପଡିଥିବା ଦେଖିଥିଲେ। ପରେ ଘର ଭିତରକୁ ଯାଇ ଦେଖିଲା ବେଳକୁ ପୁଅଙ୍କ ଶୋଇବା ଘରୁ ଆଲମାରି ଭଙ୍ଗାଯାଇ ପ୍ରାୟ ୭ ଭରି ଓଜନର ସୁନା ଓ ପ୍ରାୟ ୧୦ ଭରି ଓଜନର ରୁପା ଅଳଙ୍କାର ଦୁର୍ବୁତ୍ତମାନେ ଲୁଟି ନେଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଗତ ମାସ ତଳେ ସ୍ଥାନୀୟ ମଞ୍ଜାରିଆ ଗ୍ରାମର ଧନେଶ୍ୱର ତ୍ରିପାଠୀଙ୍କ ଘରୁ ଅନୁରୂପ ଭାବେ ସୁନା, ରୁପା ଅଳଙ୍କାର ଲୁଟ୍‌ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ପୋଲିସ ଅଭିଯୁକ୍ତଙ୍କୁ ଧରିପାରି ନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share