ଭଙ୍ଗା ବ୍ରିଜ୍‌, ଭୟରେ ଯାତାୟାତ

ରାଉରକେଲା,୨୮।୮(ଦିନେଶ ମିଶ୍ର): ରାଉରକେଲା ସହରର ବିଭିନ୍ନ ବସ୍ତି ଓ ତଳି ଅଞ୍ଚଳଗୁଡିକରେ ବହୁ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଛି। କେଉଁଠି ଗୋଷ୍ଠୀ ଶୌଚାଳୟ ତ ଆଉ କେଉଁଠି ପକ୍କା ରାସ୍ତା ତିଆରି କରାଯାଉଛି। ଏସବୁ ଉନ୍ନତୀକରଣ ସତ୍ତ୍ୱେ ଉଦିତନଗର ସ୍ଥିତ ଶୀତଳପଡା ବସ୍ତିକୁ ସଂଯୋଗ କରୁଥିବା ମୁଖ୍ୟ ବ୍ରିଜ୍‌ ଭଗ୍ନ ଅବସ୍ଥାରେ ପଡିରହିଥିବା ଦେଖିବାକୁ ମିଳିଛି। ଫଳରେ ଲୋକମାନେ ଏହି ବ୍ରିଜ୍‌ ଦେଇ ଭୟରେ ଯାତାୟାତ କରୁଛନ୍ତି।
ଶୀତଳପଡା ବସ୍ତିରେ ପ୍ରାୟ ୩ ହଜାର ଲୋକ ବାସ କରନ୍ତି। ଏଠାକାର ଲୋକେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି। ଏହି ବସ୍ତିଟି ଆର୍‌ଏସ୍‌ପି ଡମ୍ପିଂ ୟାର୍ଡ ଅଞ୍ଚଳରେ ରହିଛି। ଏହି ବସ୍ତି ମଧ୍ୟରେ ଯାଇଥିବା ମୁଖ୍ୟନାଳ ତରକେରା ଦେଇ ବ୍ରାହ୍ମଣୀ ନଦୀରେ ମିଶିଛି। ଏହି ନାଳ ଉପରେ ଆଜିକୁ ୨୫ ବର୍ଷ ତଳେ ଆର୍‌ଏସ୍‌ପି ପକ୍ଷରୁ ଏକ ଛୋଟ ବ୍ରିଜ୍‌ ନିର୍ମାଣ ନିର୍ମାଣ କରାଯାଇଥିଲା। ବ୍ରିଜ୍‌ ଦେଇ ଶୀତଳପଡା ବସ୍ତି ଭିତରେ ଥିବା ଡମ୍ପିଂ ୟାର୍ଡରୁ ଆର୍‌ଏସ୍‌ପିର ବିଭିନ୍ନ ଗାଡି ଅଦରକାରୀ କଞ୍ଚାମାଲଗୁଡିକ ଉଠାଉଥିଲା। ଏହି ବ୍ରିଜ ଉପରେ ଭାରଯାନ ଚଳାଚଳ କରିବାକୁ ଏହା ଧୀରେ ଧୀରେ ଭାଙ୍ଗିବାକୁ ଲାଗିଲା। ଏହା ବସ୍ତି ଭିତରକୁ ଯିବା ପାଇଁ ମୁଖ୍ୟ ବ୍ରିଜ ହୋଇଥିବାବେଳେ ଏହାର ରକ୍ଷଣାବେକ୍ଷଣ ଅଭାବରୁ ଚାରିପଟେ ସୁରକ୍ଷା ପାଚେରୀ ଭାଙ୍ଗି ଯାଇଛି। ଫଳରେ ଆଜିକୁ ୫ ବର୍ଷ ତଳେ ଦୁଇଜଣ ବାଳକ ବ୍ରିଜ ଉପରୁ ତଳକୁ ଖସିପଡି ମୃତ୍ୟୁ ଘଟିଥିବା ବସ୍ତିର ସୋନୁ ସାହୁ କହିଥିଲେ। ଏହି ବ୍ରିଜ ନିର୍ମାଣ ହେବା ଦିନରୁ କୌଣସି ମରାମତି ହୋଇନାହିଁ। ସେହିପରି ବ୍ରିଜ ଉପରେ ବିଭିନ୍ନ ଯାନ ଯାତାୟାତ କରୁଥିବାରୁ ଏହା ଉପରେ ବଡଧରଣର ଗର୍ତ୍ତମାନ ସୃଷ୍ଟି ହୋଇଛି। ବର୍ଷାଦିନେ ପାଣି ଜମି ରହୁଥିବାବେଳେ ବର୍ଷାଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଫଳରେ ସ୍ଥାନୀୟ ବସ୍ତିବାସୀ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ରିଜ୍‌ ଭାଙ୍ଗିଯାଇ ଅଣଓସାରିଆ ହୋଇପଡିଛି। କୌଣସି ବଡ ଗାଡି ଅତିକ୍ରମ କଲାବେଳେ ଅନ୍ୟ ଗାଡିଗୁଡିକୁ ଅପେକ୍ଷା କରିବାକୁ ପଡୁଛି। ବ୍ରିଜ ଉପରେ ଫାଟ ସୃଷ୍ଟି ହୋଇଥିବା ବେଳେ ଲୁହାରଡ୍‌ ଦେଖା ହେଉଛି। ବ୍ରିଜ୍‌ର ଉଭୟ ପାର୍ଶ୍ୱ ପାଚେରୀ ଭାଙ୍ଗିଯିବାରୁ ଅନେକ ସମୟରେ ଭାରସାମ୍ୟ ହରାଇ ଗାଡିଗୁଡିକ ନାଳରେ ପଶିଯାଉଛି। ସ୍ଥାନୀୟ ପ୍ରଶାସନ ଏ ନେଇ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ରାଉରକେଲା ଏଡିଏମ୍‌ ଡ. ଶୁଭଙ୍କର ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଶୀତଳପଡା ବସ୍ତିଟି ଆର୍‌ଏସ୍‌ପି ଜାଗାରେ ରହିଛି। ତଥାପି ସ୍ଥାନୀୟ ପ୍ରଶାସନ ପକ୍ଷରୁ ପାନୀୟ, ବିଦ୍ୟୁତ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଇଛି। ଏହି ବ୍ରିଜ୍‌ ଓ ରାସ୍ତା ମରାମତି ପାଇଁ ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ରହିଛି। ତେଣୁ ଆମେ ଏ ନେଇ ଆର୍‌ଏସ୍‌ପିକୁ ନିଶ୍ଚିତ ଅବଗତ କରାଇବୁ ବୋଲି ମହାପାତ୍ର କହିଥିଲେ।