ଭାଙ୍ଗିଲା ପାର୍କ ପାଚେରି, ଭାସିଲା ବଜାର

କାମାକ୍ଷାନଗର,୨୧।୭(ସୁଧୀର ପରିଡ଼ା): ଲଘୁଚାପଜନିତ ଲଗାଣବର୍ଷାରେ ପଦାରେ ପଡ଼ିଛି ଅବ୍ୟବସ୍ଥା। କେଉଁଠି ନିର୍ମାଣାଧୀନ ପାର୍କ ପାଚେରି ଭାଙ୍ଗିପଡ଼ିଛି ତ ଅନ୍ୟ କେଉଁଠି ନର୍ଦ୍ଦମା ପାଣି ସୁଅରେ ବେହାଲ ହୋଇଛି ଜୀବନଯାତ୍ରା। ବିକାଶମୂଳକ କାର୍ଯ୍ୟରେ ଦୁର୍ନୀତି ଏବଂ ବର୍ଷ ବର୍ଷ ଧରି ଡ୍ରେନେଜ୍‌ ବ୍ୟବସ୍ଥାରେ ସୁଧାର ଆସିପାରୁ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କାମାକ୍ଷାନଗର ଅଞ୍ଚଳର ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ସହର ଉପକଣ୍ଠ କାନପୁରାରେ ସାଢ଼େ ୩ କୋଟି ଟଙ୍କା ବ୍ୟୟ ଅଟକଳରେ ଗ୍ରାମୀଣ ଉଦ୍ୟାନ କାର୍ଯ୍ୟ ଜାରି ରହିଛି। ପ୍ରଥମ ପର୍ଯ୍ୟାୟରେ ପାଚେରି ନିର୍ମାଣ ଲାଗି ପ୍ରାୟ ୪୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ତେବେ ନିୟମ ଅନୁଯାୟୀ କାମ ହେଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରି ଆସୁଥିଲେ, ଯାହାକୁ ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେଇ ନ ଥିଲେ। ଫଳରେ ଲଗାଣ ବର୍ଷାରେ ଗୁରୁବାର ପ୍ରାୟ ୩୫ ମିଟର ପାଚେରି ଭୁଶୁଡ଼ି ପଡ଼ିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ କାମ କରୁଥିବା ଠିକାଦାରଙ୍କଠାରୁ କ୍ଷତିଭରଣା କରିବା ଲାଗି ସାଧାରଣରେ ଦାବି ହୋଇଛି। ଏ ନେଇ ଯନ୍ତ୍ରୀ ରଶ୍ମିତା ମଞ୍ଜରୀ ପ୍ରଧାନ କୁହନ୍ତି, ସେ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ପାଚେରି ନିର୍ମାଣ ହୋଇଛି। ପାଚେରି ଭାଙ୍ଗିବା ନଜରକୁ ଆସିଛି। ଏହାର ପୁନଃନିର୍ମାଣ ଲାଗି କାର୍ଯ୍ୟ କରିଥିବା ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯିବ।
ଅପରପକ୍ଷେ ବର୍ଷାରେ ଡ୍ରେନ୍‌ ଉଛୁଳିବାରୁ କାମାକ୍ଷାନଗର ବଜାରରେ ଆଣ୍ଟୁଏ ଉଚ୍ଚରେ ନର୍ଦ୍ଦମା ପାଣିର ସୁଅ ଛୁଟିଥିଲା। ମୁଣ୍ଡିଦେଉଳି ବଜାର, ଲକ୍ଷ୍ମୀ ବଜାର, ଜଗନ୍ନାଥ ବଜାର ଅଞ୍ଚଳରେ ରାସ୍ତା ଉପରେ ଆବର୍ଜନା ଜଳ ଲହଡ଼ି ମାରିଥିଲା। ସୂଚନାଯୋଗ୍ୟ, ପୂର୍ତ୍ତ ବିଭାଗ ପକ୍ଷରୁ ଠିକାସଂସ୍ଥା ଜରିଆରେ ଆଳତୁମାରୁ ଜିରିଡ଼ାମାଳି ବାଇପାସ୍‌ ଯାଏ ସହର ଦୁଇପାର୍ଶ୍ୱରେ ଡ୍ରେନ୍‌ ନିର୍ମାଣ କରାଯାଉଛି। ବର୍ଷାପୂର୍ବରୁ ଏହି କାମ ଶେଷ କରିବାକୁ ତତ୍କାଳୀନ ଉପଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ହେଲେ କାମରେ ମନ୍ଥରତା ଯୋଗୁ ଏହା ଶେଷ ହୋଇପାରୁନାହିଁ। ତେଣୁ ଉପରମୁଣ୍ଡରୁ ଆସୁଥିବା ବର୍ଷାପାଣି ପ୍ରମୁଖ ବଜାର ଗୁଡ଼ିକୁ ଜଳାର୍ଣ୍ଣବ କରୁଛି। ବ୍ୟବସାୟୀମାନେ ଦୋକାନ ଖୋଲିପାରୁନାହାନ୍ତି। ପୂର୍ତ୍ତ ବିଭାଗ ଅଧିକାରୀ ଏହାର ସମୀକ୍ଷା କରି ତୁରନ୍ତ କାର୍ଯ୍ୟ ଶେଷ କରିବା ଲାଗି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।