ଭାଙ୍ଗିଲା ଗଛ, ଉଡ଼ିଲା ଛପର

ବାଲିଆପାଳ, ୨୯।୩(ସ୍ବ.ପ୍ର.): କାଳବୈଶାଖୀ ପ୍ରଭାବରେ ସୋମବାର ବାଲିଆପାଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ଝଡ଼ତୋଫାନ ସାଙ୍ଗକୁ କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ବାସନ୍ତୀ ପୂଜା ପାଇଁ ବନ୍ଧାଯାଇଥିବା ଟେଣ୍ଟ ସହିତ ବାଲିଆପାଳ ନେତାଜୀ ଷ୍ଟାଡ଼ିୟମରେ ଚାଲିଥିବା ସ୍ବର୍ଣ୍ଣିମ ସୁବର୍ଣ୍ଣରେଖା ଉତ୍ସବରେ ବ୍ୟାପକ କ୍ଷତି ହୋଇଛି। ବାଲିଆପାଳ ବସ୍‌ଷ୍ଟାଣ୍ଡଠାରେ ବାସନ୍ତୀ ପୂଜା ଟେଣ୍ଟକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଧୂଳିସାତ୍‌ କରିଦେଇଥିବା ବେଳେ ସ୍ବର୍ଣ୍ଣିମ ସୁବର୍ଣ୍ଣରେଖା ଉତ୍ସବ ପାଇଁ ବାଲିଆପାଳ ବ୍ଲକ ଛକରେ ହୋଇଥିବା ବଡ଼ଲାଇଟ୍‌ ଗେଟ୍‌ ଧରାଶାୟୀ ହୋଇଛି। ନେତାଜୀ ଷ୍ଟାଡିୟମ ପଡ଼ିଆରେ ବସିଥିବା ଦୋକାନ ଟେଣ୍ଟଗୁଡ଼ିକ ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କାର ଜିନିଷ ମଧ୍ୟ ନଷ୍ଟ ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ଇଲେକ୍ଟ୍ରି ତାର ଛିଣ୍ଡିଯାଇଥିବାରୁ ସୋମବାର ରାତିଠାରୁ ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସରବରାହ ସମ୍ଭବ ହୋଇ ନ ଥିଲା। ବାଲିଆପାଳ, ବିଷ୍ଣୁପୁର, ମଧୁପୁରା, ଅସ୍ତି, ଘଣ୍ଟୁଆ, କୁମ୍ଭାରୀ ଆଦି ପଞ୍ଚାୟତରେ ଏହାର ପ୍ରଭାବ ଅଧିକ ପରିଲକ୍ଷିତ ହୋଇଛି। ଏହି ସ୍ଥାନଗୁଡ଼ିକରେ ବଡ଼ ବଡ଼ ଗଛ ଓଲଟି ପଡ଼ିଛି। ରାସ୍ତାକଡ଼ରେ ଲାଗିଥିବା ବିଭିନ୍ନ ବିଜ୍ଞାପନ ପାଇଁ ହୋର୍ଡ଼ିଂ ସବୁ ଛିଣ୍ଡି ନିଶ୍ଚିହ୍ନ ହୋଇଯାଇଛି।
ଦକ୍ଷିଣ ବାଲିଆପାଳ ସମୁଦ୍ରକୂଳିଆ ଅଞ୍ଚଳ ଡଗରା, ଚଉମୁଖ, ବେତଗଡ଼ଆ, ଅଁଳାଡ଼ିହା, ନୂଆଗାଁ, ଜଗତିପୁର, ପ୍ରତାପପୁର, ଜମ୍ଭିରାଇ ଆଦି ବିଭିନ୍ନ ପଞ୍ଚାୟତର ବହୁ ସ୍ଥାନରେ ପାନବରଜ କ୍ଷତିଗ୍ରସ୍ତ ହୋଇଛି। ପ୍ରବଳ ବର୍ଷା ଓ କୁଆପଥର ମାଡ଼ରେ ପାନ ବରଜ ଭାଙ୍ଗିଯିବା ସହିତ ପାନ ଗଛଗୁଡ଼ିକ ଉପୁଡ଼ି ପଡ଼ିଛି। କୁଆପଥର ମାଡ଼ରେ ପନିପରିବା ବହୁ ପରିମାଣରେ କ୍ଷତି ହୋଇଛି। ଚଳିତ ମାସ ୧୯ ତାରିଖଠାରୁ ଝଡ଼ ବର୍ଷା ଲାଗି ରହିଛି। ଫଳରେ ବହୁ ଚାଳ ଛପର ଉଡ଼ିଯିବା ସହିତ ଲୋକଙ୍କ ବ୍ୟାପକ କ୍ଷତି ଘଟିଛି। ବାଲିଆପାଳ ଅଞ୍ଚଳର ଜନସାଧାରଣଙ୍କ ସହିତ ବାଲିଆପାଳ ଅଗ୍ନିଶମ ବିଭାଗ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ମାନେ ଅକ୍ଲାନ୍ତ ପରିଶ୍ରମ କରି ରାସ୍ତାଘାଟ ସ୍ବାଭାବିକ କରିଥିଲେ। ସରକାର କାଳବୈଶାଖୀର କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି।