ଭାଙ୍ଗିଲା କୁମ୍ଭକ୍ଷେତ୍ରର ହାଣ୍ଡି ଭେଳା:  ପାଣି ଭିତରେ ପର୍ଯ୍ୟଟକ

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ସିଆଡିମାଳ ପଞ୍ଚାୟତ ବାବନ୍ଧ ଗ୍ରାମରେ ଥିବା କୁମ୍ଭକ୍ଷେତ୍ରରେ ଅଘଟଣ  ଘଟିଛି। ହଠାତ୍‌ ହାଣ୍ଡି ଭେଳା ଭାଙ୍ଗିଯାଇ ଜଣେ ଶିଶୁ ସମେତ ୫ ପର୍ଯ୍ୟଟକ ପାଣିରେ ପଡ଼ିଛନ୍ତି।
ସୂଚନାଯୋଗ୍ୟ, କୁମ୍ଭକ୍ଷେତ୍ରରେ  ଇକୋ ଟୁରିଜମ୍‌  ରହିଛି, ଯେଉଁଥିରେ ଜଉ କଣ୍ଢେଇ କଳାକୃତିି ସହିତ ବିଭିନ୍ନ ଆଦିବାସୀ କଳାକୃତିି ଦେଖିବାକୁ ମିଳିଥାଏ। ଏହାସହ ରାତ୍ରରହଣି ପାଇଁ ଟେଣ୍ଟ ଓ ଏକ ହୋଟେଲ ଖୋଲାଯାଇଛି। ଉକ୍ତ ସ୍ଥାନକୁ ପର୍ଯ୍ୟଟକମାନେ ମାଟିହାଣ୍ଡି ଓ ବାଉଁଶରେ ନିର୍ମିତ ଭେଳାରେ ଯାଇଥାନ୍ତି। ତେବେ ମଙ୍ଗଳବାର ୫ ପର୍ଯ୍ୟଟକ ଓ ଜଣେ ଶିଶୁ ଭେଳାରେ ଯିବା ସମୟରେ ଭେଳାଟି ହଠାତ୍‌ ଭାଙ୍ଗିଯାଇଥିଲା। ସମସ୍ତେ ପାଣିରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବ୍ୟବସାୟିକ ଉଦ୍ଦେଶ୍ୟରେ ପର୍ଯ୍ୟଟକଙ୍କଠାରୁ ଅର୍ଥ ନେଇ ବ୍ୟବସାୟ କରାଯାଉଥିବା ବେଳେ ପ୍ରଶାସନଠାରୁ ଅନୁମତି ନ ନେଇ ଗଭୀର ଜଳାଶୟରେ ମାଟିହାଣ୍ଡି ଭଳି ଭେଳାରେ ପର୍ଯ୍ୟଟକଙ୍କୁ କିଭଳି ବିନା କୌଣସି ଲାଇଫ୍‌ ଜ୍ୟାକେଟରେ ବୁଲିବା ପାଇଁ ଅନୁମତି ଦିଆଯାଉଥିଲା ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି  କରିଛି।