ଅନୁଗୋଳ,୨୭।୬(ଅମିତ ସାମଲ): ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ବୃଦ୍ଧ ରୋଗୀଙ୍କଠାରୁ ଦଲାଲ ଟଙ୍କା ଠକି ନେଇଥିବା ସୋମବାର ଫାଣ୍ଡିରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ବଅଁରପାଳ ବ୍ଲକ ଜରପଡ଼ା ଥାନା ବିମଳବେଡ଼ା ଅଞ୍ଚଳର ସୁଦର୍ଶନ ପ୍ରଧାନ ତାଙ୍କ ବାପା ଗୋବର୍ଦ୍ଧନ ପ୍ରଧାନ(୬୨)ଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତରଙ୍କୁ ଦେଖାଇବା ପରେ ଡାକ୍ତର ତାଙ୍କୁ ସିଟି ସ୍କାନ୍ କରିବାକୁ ପରାମର୍ଶ ଦେଇଥିଲେ। ସିଟି ସ୍କାନ୍ କରିବାକୁ ଆସିବା ସମୟରେ ଜଣେ ଦଲାଲ୍ ତାଙ୍କ ନିକଟରେ ଆସି ପହଞ୍ଚତ୍ଥିଲେ। ତାଙ୍କର ଦୂର ସମ୍ପର୍କୀୟ ବୋଲି ପରିଚିତ ଦେଇ ସିଟି ସ୍କାନ୍ ନିକଟକୁ ସୁଦର୍ଶନ ଓ ଗୋବର୍ନ୍ଧନଙ୍କୁ ଆଣିଥିଲେ। ଏହି ସମୟରେ ସୁଦର୍ଶନ ଆସିଥିବା ଅଟୋ ନିକଟକୁ ଯିବାର ସୁଯୋଗ ନେଇ ଦଲାଲ୍ ଜଣଙ୍କ ଡାକ୍ତରଙ୍କୁ ଟଙ୍କା ଦେବାକୁ କହିଥିଲେ। ଦଲାଲଙ୍କ କଥାରେ ବିଶ୍ୱାସ କରି ଗୋବର୍ନ୍ଧନଙ୍କ ତାଙ୍କୁ ୩ ହଜାର ଟଙ୍କା ବଢ଼ାଇ ଦେଇଥିଲେ। ଏହାପରେ ଦଲାଲ ୩ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ। ପରେ ଗୋବର୍ଦ୍ଧନ ପୁଅଙ୍କୁ ଘଟଣା ସମ୍ପର୍କରେ କହିବା ପରେ ସୁଦର୍ଶନ ମେଡିକାଲ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ଚଳାଇଛି।