ହାଙ୍ଗଝୋ, ୩୦।୯ (ପି.ଟି.): ଏସିଆନ ଗେମ୍ସରେ ଭାରତୀୟ ମହିଳା ସ୍କ୍ବାଶ୍ ଦଳ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି। ତେବେ ପୁରୁଷ ଦଳ ଫାଇନାଲରେ ପ୍ରବେଶ କରି ସ୍ବର୍ଣ୍ଣ ପଦକ ଆଶା ଉଜ୍ଜ୍ୱଳ କରିଛି। ଶୁକ୍ରବାର ଅନୁଷ୍ଠିତ ପୁରୁଷ ବର୍ଗ ସେମିଫାଇନାଲରେ ସୌରଭ ଘୋଷାଲ ଓ ଅଭୟ ସିଂଙ୍କୁ ନେଇ ଗଠିତ ଭାରତୀୟ ଦଳ ଡିଫେଣ୍ଡିଂ ଚାମ୍ପିୟନ ମାଲେସିଆକୁ ପରାସ୍ତ କରିଛି। ଫାଇନାଲରେ ଭାରତର ପ୍ରତିଦ୍ୱନ୍ଦ୍ୱୀ ହେଉଛି ପାକିସ୍ତାନ। ପୁଲ୍ ପର୍ଯ୍ୟାୟରେ ପାକିସ୍ତାନଠାରୁ ଭାରତ ହାରି ଯାଇଥିଲା। ତେଣୁ ଫାଇନାଲରେ ଏହି ଦଳକୁ ପରାସ୍ତ କରି ମଧୁର ପ୍ରତିଶୋଧ ନେବା ସୁଯୋଗ ସୃଷ୍ଟି ହୋଇଛି। ଭାରତ ପକ୍ଷରୁ ଅଭୟ ସିଂ ୩-୧ (୧୧-୩, ୧୨-୧୦, ୯-୧୧, ୧୧-୬)ରେ ବିପକ୍ଷ ଦଳର ମହମ୍ମଦ ଅଦିନ ଇଦ୍ରାକି ବିନ୍ ବହତିଆରଙ୍କୁ ହରାଇ ଅଭିଯାନ ଆରମ୍ଭ କରିଥିଲେ। ପରେ ଘୋଷାଲ ୩-୧ (୧୧-୮, ୧୧-୬, ୧୨-୧୦, ୧୧-୩)ରେ ଇଏନ ୟୋ ଏନ୍ଜିଙ୍କୁ ହରାଇ ଭାରତର ବିଜୟ ନିଶ୍ଚିତ କରିଥିଲେ। ଫଳରେ ମହେଶ ମଙ୍ଗାଓଙ୍କର ଖେଳିବା ଆବଶ୍ୟକ ପଡ଼ି ନ ଥିଲା। ଗତ ସଂସ୍କରଣରେ ଭାରତୀୟ ପୁରୁଷ ଦଳ ବ୍ରୋଞ୍ଜ ପଦକ ପାଇଥିଲା। ଏଥର ମହିଳା ଦଳ କିନ୍ତୁ ବ୍ରୋଞ୍ଜ ପଦକ ସହ ଅଭିଯାନ ଶେଷ କରିଛି। ସେମିଫାଇନାଲରେ ଦଳ ହଂକଂଠାରୁ ହାରି ଯାଇଛି। ଜ୍ୟୋତ୍ସ୍ନା ଚିନାପ୍ପା ଅନାହତ ସିଂ ଓ ତନଭି ଖାନ୍ନାଙ୍କୁ ନେଇ ଗଠିତ ଭାରତୀୟ ଦଳ ୧-୨ରେ ପରାସ୍ତ ହୋଇଥିଲା। ୨୦୧୮ ଜାକର୍ତ୍ତା ଗେମ୍ସରେ ଭାରତ ରୌପ୍ୟ ପଦକ ପାଇଥିଲା। ଫାଇନାଲରେ ହଂକଂଠାରୁ ପରାସ୍ତ ହୋଇଥିଲା।