Categories: ଖେଳ

ଓଡ଼ିଶା ବାଳିକା ଦଳକୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୨।୧୦ (ତପନ ସ୍ବାଇଁ): ଜାତୀୟ ରୋଲବଲ୍‌ରେ ଓଡ଼ିଶା ପ୍ରତିଯୋଗୀମାନେ ପୁଣି ଚମକ ଦେଖାଇଛନ୍ତି। ଚେନ୍ନାଇରେ ଅନୁଷ୍ଠିତ ୧୩ଶ ଜାତୀୟ ୧୧ ବର୍ଷରୁ କମ୍‌ ରୋଲବଲ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ବାଳିକା ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଓଡ଼ିଶା ବାଳିକା ଦଳ ପଞ୍ଜାବକୁ ୧୨-୦, ହରିୟାଣାକୁ ୪-୧ ଓ ଗୁଜରାଟକୁ ୧୦-୦ ଗୋଲରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା।

କ୍ୱାର୍ଟରରେ ଦଳ ଝାଡ଼ଖଣ୍ଡକୁ ୮-୩ ଗୋଲରେ ହରାଇ ଦେଇଥିଲା। ମାତ୍ର ସେମିଫାଇନାଲରେ ଓଡ଼ିଶା ୦-୨ରେ ରାଜସ୍ଥାନଠାରୁ ହାରି ଯାଇଥିଲା। ଫାଇନାଲରେ ରାଜସ୍ଥାନକୁ ହରାଇ ଆସାମ ଚାମ୍ପିୟନ ହୋଇଥିଲା। ଗୋଲ ବ୍ୟବଧାନରେ ଓଡ଼ିଶା ତୃତୀୟ ସ୍ଥାନ ହାସଲ କରିଥିଲା। ଓଡ଼ିଶା ୩୪ ଗୋଲ ଦେଇଥିବାବେଳେ ଅନ୍ୟତମ ପରାଜିତ ସେମିଫାଇନାଲିଷ୍ଟ କେରଳ ୧୪ ଗୋଲରେ ସୀମିତ ରହିଥିଲା।

ଓଡ଼ିଶା ଅଧିନାୟିକା ଅଶ୍ଳେଷା ପଣ୍ଡା ଟୁର୍ନାମେଣ୍ଟର ଟପ୍‌ ସ୍କୋରର ହୋଇଥିଲେ। ସେ ଏକାକୀ ୨୧ଟି ଗୋଲ ଦେଇଥିଲେ। ବାଳକ ବିଭାଗରେ ଓଡ଼ିଶା ଭଲ ଆରମ୍ଭ କରିଥିଲେ ହେଁ କ୍ୱାର୍ଟର ଫାଇନାଲରେ ମହାରାଷ୍ଟ୍ରଠାରୁ ୦-୨ରେ ହାରି ବିଦାୟ ନେଇଥିଲା।

Share