Categories: ଖେଳ

ଭାରତୀୟ ପୁରୁଷ ଦଳକୁ ବ୍ରୋଞ୍ଜ

ପ୍ୟୋଙ୍ଗଚାଙ୍ଗ,୭ା୯(ପି.ଟି.): ଦକ୍ଷିଣ କୋରିଆରେ ଅନୁଷ୍ଠିତ ଏସିଆନ୍‌ ଟେବୁଲ ଟେନିସ୍‌ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତୀୟ ପୁରୁଷ ଦଳ। ବୁଧବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ଭାରତୀୟ ପୁରୁଷ ଦଳ ୦-୩ରେ ଚାଇନିଜ ତାଇପେ ନିକଟରୁ ପରାଜିତ ହୋଇଥିଲା। ଭାରତୀୟ ଭେଟେରାନ୍‌ ଖେଳାଳି ଅଚନ୍ତା ଶରଥ କମଲ ଓ ଗୁଣଶେକରନ ସାଥିୟାଁ ପରାଜିତ ହୋଇଥିବା ବେଳେ ଭାରତର ହାଇଏଷ୍ଟ ସିଡେଡ୍‌ ଖେଳାଳି ହରମିତ୍‌ ଦେଶାଇ ଲଢେଇ କରି ହାରିବା ସହିତ ଭାରତୀୟ ଚ୍ୟାଲେଞ୍ଜ ଶେଷ ହୋଇଥିଲା। ଚାଇନିଜ୍‌ ତାଇପେର ଖେଳାଳିମାନେ ଭାରତୀୟଙ୍କଠାରୁ ଉଚ୍ଚ ର଼୍ୟାଙ୍କ ପ୍ରାପ୍ତ ରହିଥିବା ବେଳେ ସହଜ ବିଜୟ ହାସଲ କରିଥିଲେ।

ଅଭିଜ୍ଞ ଶରଥ କମଲ ପ୍ରଥମ ମ୍ୟାଚରେ ୬-୧୧, ୬-୧୧ ଓ ୯-୧୧ ସେଟ୍‌ରେ ବିଶ୍ୱ ମାନ୍ୟତାର ୨୬ତମ ସ୍ଥାନରେ ଥିବା ଚୁଆଙ୍ଗ ଚି ୟୁଆନ୍‌ଙ୍କ ନିକଟରୁ ପରାସ୍ତ ହୋଇଥିଲେ। ଜି ସାଥିୟାଁ ନିଜ ମ୍ୟାଚରେ ବିଶ୍ୱ ମାନ୍ୟତାର ସପ୍ତମ ସ୍ଥାନରେ ଥିବା ଲିନ୍‌ ୟୁନ୍‌ ଜୁଙ୍କ ନିକଟରୁ ପରାଜିତ ହୋଇଥିଲେ। ଭାରତୀୟ ଦଳ ୦-୨ରେ ପଛୁଆ ରହିଥିବା ବେଳେ ବିଶ୍ୱ ମାନ୍ୟତାର ୬୩ ତମ ସ୍ଥାନରେ ଥିବା ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ଭାରତୀୟ ହରମିତ୍‌ ଦେଶାଇ ଖେଳିଥିଲେ। ହରମିତ୍‌ ୪ ସେଟ୍‌ ବିଶିଷ୍ଟ ମ୍ୟାଚରେ ବିଶ୍ୱ ମାନ୍ୟତାର ୩୩ ତମ ସ୍ଥାନରେ ଥିବା କାଓ ଚେଙ୍ଗ ଜୁଇଙ୍କଠାରୁ ହାରି ଯାଇଥିଲେ। ଅନ୍ୟପକ୍ଷରେ ଭାରତୀୟ ମହିଳା ଦଳ କ୍ୱାର୍ଟର ଫାଇନାଲ ମ୍ୟାଚରେ ଜାପାନ ନିକଟରୁ ୦-୩ରେ ପରାଜିତ ହୋଇ ବିଦାୟ ନେଇଛି।

Share