Categories: ଅପରାଧ

୧୫୦ ଟଙ୍କା ପାଇଁ ଭାଇକୁ ପିଟି ମାରିଦେଲା ଭାଇ

ପାଟନା, ୨୧।୯: ବିହାର ବେତିଆ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜିଲାର ଗୌନାହ ଥାନା ଅନ୍ତର୍ଗତ ହରପୁର ପିପରା ଗ୍ରାମରେ ମୁକ୍ତାର ରାୟ (୪୫ ବର୍ଷ) ନାମକ ଜଣେ ବ୍ୟକ୍ତିଙ୍କୁ ମାତ୍ର ୧୫୦ ଟଙ୍କା ଲାଗି ତାଙ୍କ ସମ୍ପର୍କୀୟ ଭାଇ ପିଟି ପିଟି ମାରି ଦେଇଛନ୍ତି। ମୁକ୍ତାରଙ୍କ ସ୍ତ୍ରୀ ହାଜରା ଖାତୁନ୍‌ କହିଛନ୍ତି, ତାଙ୍କ ସ୍ବାମୀଙ୍କ ନରକଟିଗଞ୍ଜରେ ଏକ କୋଠା ନିର୍ମାଣରେ ମିସ୍ତ୍ରୀ ଭାବେ କାମ କରୁଥିଲେ। ଯେଉଁଠାରେ ସମ୍ପର୍କୀୟ ଭାଇ ହାକିମ ରାୟ ଓ ପୁତୁରା ଜାଲିମ ରାୟଙ୍କୁ ମୁକ୍ତାର ନେଇ ନିୟୋଜିତ କରିଥିଲେ। ବକେୟା ପାଉଣା ବାବଦକୁ ହାକିମ ଓ ଜାଲିମ ୭୫୦ ଟଙ୍କା ମୁକ୍ତାରଙ୍କ ନିକଟରୁ ପାଇବାର ଥିଲା। ସୋମବାର ସକାଳେ ଉଭୟ ହାକିମ ଓ ଜାଲିମ ଘରକୁ ବକେୟା ପାଉଣା ମାଗିବାକୁ ଆସିଥିଲେ। ଏହି ସମୟରେ ମୁକ୍ତାର ୬୦୦ ଟଙ୍କା ପ୍ରଦାନ କରି ବଳକା ୧୫୦ ଟଙ୍କା ନିର୍ମାଣସ୍ଥଳରେ ଦେବାକୁ କହିଥିଲେ। କିନ୍ତୁ ଏହାକୁ ନେଇ ମୁକ୍ତାରଙ୍କ ସହ ଉଭୟ ହାକିମ ଓ ଜାଲିମ ପାଟିତୁଣ୍ଡ କରିଥିଲେ। ଶେଷରେ ଉଭୟ ଏକ ବାଡ଼ି ସହାୟତାରେ ମୁକ୍ତାରଙ୍କୁ ପିଟି ପଟି ମାରି ଦେଇଥିଲେ। ଏସ୍‌ଡିପିଓ କୁନ୍ଦନ କୁମାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। କିନ୍ତୁ ଉଭୟ ହତ୍ୟାକାରୀ ହାକିମ ଓ ଜାଲିମ ଫେରାର୍‌ ହୋଇଯାଇଛନ୍ତି।