
କେନ୍ଦୁଝର,୨୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନରଣପୁର ଗ୍ରାମରେ ରବିବାର ସକାଳେ ଜଣେ ନାବାଳକ ପୋଖରୀରେ ବୁଡି ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପୋଖରୀରେ ଗାଧୋଉଥିବା ବେଳେ ହଠାତ ପାଣିରେ ବୁଡ଼ି ଯାଇ ନିଖୋଜ ହୋଇ ଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପରେଶନ ଚଳାଇଥିଲେ। ପରେ ଅପରାହ୍ନ ପ୍ରାୟ ୧.୩୦ରେ ମୃତଦେହ ଉଦ୍ଧାର ହୋଇଥିଲା। ପିଲାଟିର ନାମ ସମୀର ବେହେରା (୧୬) ଏବଂ ସେ ୧୦ମ ଶ୍ରେଣୀରେ ପଢ଼ୁଥିଲେ। ତାଙ୍କ ଘର୍ ଦୈତାରୀ ଥାନା ଟାଙ୍ଗିରିଆ ପାଳ ଗ୍ରାମରେ ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ସମୀର ତାଙ୍କ ଘର ଲୋକଙ୍କ ସହିତ କେନ୍ଦୁଝର ନରଣପୁର ରତ୍ନାସାହିରେ ରହୁଥିବା ଭଉଣୀଙ୍କ ଘରକୁ ଆସିଥିଲେ । ରବିବାର ସକାଳେ ସେ ଗାଁ ପାଖରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ପୋଖରୀରେ ଗାଧୋଇବା ବେଳେ ହଠାତ ପାଣିରେ ବୁଡ଼ି ଯାଇ ନିଖୋଜ ହୋଇ ଯାଇଥିଲେ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଏହାପରେ ଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି।