ଯୋଡ଼ା,୭ା୨(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅଧୀନ କଲ୍ହୋହୁଣ୍ଡୁଳା ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଦେଢ଼ଶୁର ତାଙ୍କ ଭାଇବୋହୂଙ୍କୁ ହତ୍ୟା କରିଥିବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ଶ୍ରୀଦେବୀ ମୁଣ୍ଡା। ପୋଲିସ ଅଭିଯୁକ୍ତ ରଞ୍ଜିତ ମୁଣ୍ଡାଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି। ପୋଲିସ ସୂଚନା ଅନୁଯାୟୀ, ଅନେକ ସମୟରେ ରଞ୍ଜିତଙ୍କ ଦେହ ଖରାପ ହୋଇଥାଏ। ଭାଇବୋହୂ ଶ୍ରୀଦେବୀ ଗୁଣି ଗାରେଡ଼ି କରୁଥିବାରୁ ତାଙ୍କ ଦେହ ଖରାପ ହେଉଥିବା ରଞ୍ଜିତ ସନ୍ଦେହ କରି ଆସୁଥିଲେ। ଏନେଇ ଉଭୟଙ୍କ ପରିବାର ମଧ୍ୟରେ ବିଭିନ୍ନ ସମୟରେ କଳି ଝଗଡ଼ା ଲାଗୁଥିଲା। ଗତ ଶନିବାର ପୂର୍ବାହ୍ନ ୯ଟାରେ ଶ୍ରୀଦେବୀ ତାଙ୍କ ପିଲାଙ୍କ ସହ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ରଞ୍ଜିତ ଠେଙ୍ଗା ଓ ଧାରୁଆ ଅସ୍ତ୍ର ସାହାଯ୍ୟରେ ଶ୍ରୀଦେବୀଙ୍କୁ ପଛପଟୁ ଆକ୍ରମଣ କରି ସେଠାରୁ ପଳାଇ ଯାଇଥିଲେ। ପରିବାର ଲୋକେ ଶ୍ରୀଦେବୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଚମ୍ପୁଆ ଡାକ୍ତରଖାନା ଓ ପରେ କେନ୍ଦୁଝର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇବା ସହ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଏନେଇ ଥାନାରେ ଏକ ହତ୍ୟା ମାମଲା (ନଂ.୧୮/୨୨) ରୁଜୁ ହୋଇଥିବା ଆଇଆଇସି ପଦ୍ମାଳୟା ସାହୁ ସୂଚନା ଦେଇଛନ୍ତି।