ଡାହାଣୀ ସନ୍ଦେହରେ ଭାଉଜଙ୍କୁ ହାଣି ହତ୍ୟା କଲେ ଦିଅର

ବାରିପଦା,୧୮ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଲହଣ୍ଡାକଚା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଡାହାଣୀ ସନ୍ଦେହରେ ମହିଳାଙ୍କୁ ଅତି ନୃଶଂସ ଭାବେ ହାଣି ହତ୍ୟା କରାଯାଇଥିବା ନେଇ ମୃତକାଙ୍କ ସ୍ବାମୀ ଥାନାରେ ଅଭିଯୋଗ କରିଛନ୍ତି। ମୃତ ଜଣକ ହେଲେ ବୋଲାଇ ମୁର୍ମୁଙ୍କ ସ୍ତ୍ରୀ ମିନତୀ। ହତ୍ୟାକାରୀ ଅଭିଯୁକ୍ତ ଦ୍ବୟ ହତ୍ୟା କରି ଫେରାର ରହିଛନ୍ତି। ଖବର ପାଇ ଝାରପୋଖରିଆ ପୋଲିସ ଓ ବାରିପଦାରୁ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, ଡାହାଣୀକୁ ନେଇ ଅନ୍ଧବିଶ୍ବାସରେ ବୋଲାଇଙ୍କ ଭାଇ ଓ ପିତୁରା ସହିତ ଗଣ୍ଡଗୋଳ ଲାଗି ରହୁଥିଲା। ବୁଧବାର ରାତି ମକର ମେଳା ଦେଖିବା ପାଇଁ ସ୍ବାମୀ ବୋଲାଇ ଘରୁ ବାହାରି ଯାଇଥିଲେ। ଏହାର ସୁଯୋଗରେ ବିଳମ୍ବିତ ରାତିରେ ମୃତକଙ୍କ ଦିଅର ଓ ପୁତୁରା ମିଳିତ ଭାବେ ଘରେ ପଶି ମିନତୀଙ୍କୁ ନୃଶଂସ ଭାବେ ହତ୍ୟା କରି ଫେରାର ହୋଇଯାଇଛନ୍ତି ବୋଲି ସ୍ବାମୀ ସନ୍ଦେହ କରି ଅଭିଯୋଗ କରିଛନ୍ତି। ସ୍ବାମୀ ଘରେ ପହଞ୍ଚି ସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥା ଦେଖି ସଙ୍ଗେ ସଙ୍ଗେ ଝାରପୋଖରିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ମୃତଦେହ ବ୍ୟବଛେଦ ପାଇଁ ବାରିପଦା ପିଆର୍‌ଏମ୍‌ ମେଡିକାଲକୁ ପଠାଇଛି। ଏ ସଂକ୍ରାନ୍ତରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି।

Share