Advertisement

ଭଉଣୀ ଘରକୁ ଆସି ଭାଇ ନିଖୋଜ

ବାଲିଗୁଡ଼ା,୨୦ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାକୁ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଭଉଣୀ ଘରକୁ ଆସିଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଥିବା ନେଇ ବାଲିଗୁଡ଼ା ଥାନାରେ ଅଭିଯୋଗ ହୋଇଛି।

ଘଟଣା ପ୍ରକାଶ ଯେ, ରାଇକିଆ ଥାନା ଅନ୍ତର୍ଗତ ଗୁମାମାହା ଗ୍ରାମର ଭବାନୀ ଶଙ୍କର ପଣ୍ଡା ଓରଫ ଡିଲୁ ନିଜ ମାମୁ ପୁଅ ଭାଇଙ୍କ ସହ ମେ’ ୧୨ରେ ବାଲିଗୁଡ଼ା ଠାକୁରାଣୀ ଯାତ୍ରା ଦେଖିବାକୁ ଆସିଥିଲେ। ପ୍ରଥମ ଦିନ ଯାତ୍ରା ଦେଖିବା ପରେ ପରଦିନ ମଧ୍ୟ ଯାତ୍ରା ଦେଖିବାକୁ ଦୁଇ ଜଣ ଭାଇଙ୍କ ସହ ଅପରାହ୍ନରେ ବାହାରିଥିଲେ କିନ୍ତୁ ସନ୍ଧ୍ୟା ୬ଟାରେ ହଠାତ ଡିଲୁ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ସମ୍ମୁଖରୁ ନୂଆସାହି ଆଡ଼କୁ ଦୌଡ଼ି ପଳାଇଥିଲେ। ଆଜକୁ ଏକ ସପ୍ତାହ ହୋଇଥିଲେ ମଧ୍ୟ ଡିଲୁଙ୍କର ପତ୍ତା ମିଳୁନାହିଁ। ଡିଲୁ ବେଳେ ବେଳେ ମାନସିକ ଭାରସାମ୍ୟ ହରାଇ ପାଗଳାମୀ ପରି ହେଉଥିବା ମଧ୍ୟ ଜଣାପଡ଼ିଛି। ଏ ନେଇ ବାଲିଗୁଡ଼ା ଥାନାରେ ପରିବାର ଲୋକେ ଏକ ଏତଲା ଦେଇଥିବା ବେଳେ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏ ନେଇ ଯଦି କୌଣସି ବ୍ୟକ୍ତି ଏହି ଯୁବକର ସନ୍ଧାନ ପାଆନ୍ତି, ତେବେ ନିକଟସ୍ଥ ଥାନାକୁ ଜଣାଇବା ପାଇଁ ଥାନାଧିକାରୀ ବାବା ଶଙ୍କର ସରାଫ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share