ତାଲିବାନ୍‌ ସପକ୍ଷରେ ରାଷ୍ଟ୍ରପତିଙ୍କ ଭାଇ

କାବୁଲ,୨୨।୮: ଆଫଗାନିସ୍ତାନର କ୍ଷମତାଚ୍ୟୁତ ତଥା ପଳାତକ ରାଷ୍ଟ୍ରପତି ଅଶ୍ରଫ୍‌ ଗନିଙ୍କ ଭାଇ ହଶମତ୍‌ ଗନି ଅହମଦଜାଇ ତାଲିବାନକୁ ସମର୍ଥନ ଜଣାଇଛନ୍ତି। ସେ ତାଲିବାନ ପ୍ରତି ଆନୁଗତ୍ୟ ପ୍ରକାଶ କରିଛନ୍ତି। ଗ୍ରାଣ୍ଡ୍‌ କାଉନ୍‌ସିଲ୍‌ ଅଫ୍‌ କୁଚିସ୍‌ ମୁଖ୍ୟ ହଶମତ୍‌ ଗନି ତାଲିବାନ ନେତା ଖଲିଲ୍‌-ଉର୍‌-ରେହମାନ ଓ ଇସ୍‌ଲାମିକ୍‌ ବିଦ୍ୱାନ ମୁଫ୍‌ତି ମହମୁଦ୍‌ ଜାକିରଙ୍କ ଉପସ୍ଥିତିରେ ଏହି ଆତଙ୍କବାଦୀ ସଙ୍ଗଠନ ପ୍ରତି ନିଜ ସମର୍ଥନ ଘୋଷଣା କରିଛନ୍ତି।

ଅଗଷ୍ଟ ୧୫ରେ ତାଲିବାନ କାବୁଲ ଦଖଲ କରିବା ପରେ ୭୨ ବର୍ଷୀୟ ଅଶ୍ରଫ୍‌ ଗନି ପରିବାର ସହିତ ଦେଶରୁ ପଳାୟନ କରିଥିଲେ। ମାନବିକତା ଦୃଷ୍ଟିରୁ ୟୁଏଇ ଗନିଙ୍କୁ ସପରିବାର ଶରଣ ଦେଇଥିବା ଘୋଷଣା କରାଯାଇଥିଲା।

ଆଫଗାନିସ୍ତାନ ସଙ୍କଟର ସମାଧାନ କରିବା ପାଇଁ ଯଦି କାହାର ସାମର୍ଥ୍ୟ ଥିଲା ସେ ହେଉଛନ୍ତି ଅଶ୍ରଫ୍‌ ଗନି। ୨୦୧୪ରେ ରାଷ୍ଟ୍ରପତି ହେବା ପୂର୍ବରୁ ଗନି ତାଙ୍କ ଜୀବନର ଅଧିକାଂଶ ସମୟ ଗରିବ ଦେଶର ଅଭିବୃଦ୍ଧି ଉପରେ ଅନୁଧ୍ୟାନ କରିବାରେ ବିତାଇଥିଲେ। କଲମ୍ବିଆ ୟୁନିଭର୍ସିଟିରୁ ଡକ୍ଟରେଟ ଉପାଧି ଲାଭ କରିଥିବା ଗନି ଆମେରିକାର ଅନେକ ଏଲିଟ୍‌ ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରିଥିଲେ। ଏହା ପୂର୍ବରୁ ସେ ବିଶ୍ୱବ୍ୟାଙ୍କ ଓ ଜାତିସଂଘରେ ମଧ୍ୟ କାର୍ଯ୍ୟ କରିଥିଲେ।

Share