ଭଉଣୀଙ୍କୁ ଗୁଳିକରି ହତ୍ୟା କଲେ ଭାଇ

କେନ୍ଦୁଝର,୬ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ସୋମଗିରି ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟିଥିବା ନେଇ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ନିଜ ଭଉଣୀକୁ ଗୁଳି ମାରି ହତ୍ୟା କରିବା ପରେ ଅଭିଯୁକ୍ତ ଭାଇ ଥାନାରେ ଆତ୍ମସମର୍ପଣ କରିଛନ୍ତି। ଗୁରୁତର ଅବସ୍ଥାରେ ଭଉଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ଆସିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତ ଭାଇ ପ୍ରସନ୍ନ ବାରିକ ଏକ କମ୍ପାନୀରେ ଗନ୍‌ ମ୍ୟାନ ଭାବେ କାର୍ଯ୍ୟ କରନ୍ତି। ପ୍ରସନ୍ନଙ୍କ ଦେହ ବହୁତ ଖରାପ ଥିବାରୁ ଚିକିତ୍ସା ପାଇଁ ତାର ଭଉଣୀ ମାଳତୀ ବାରିକ (୩୨)ଙ୍କୁ ଟଙ୍କା ମାଗିଥିଲେ। ସେ ଟଙ୍କା ନ ଦେବାରୁ ଭାଇ ପ୍ରସନ୍ନ ରାଗିଯାଇ ଭଉଣୀକୁ ନିଜ ବନ୍ଧୁକରୁ ଗୁଳି କରିଥିଲେ ବୋଲି ତାଙ୍କ ସମ୍ପର୍କୀୟ ଅର୍ଜୁନ ପରିଡ଼ା କହିଛନ୍ତି। ଗୁଳିଟି କାନ୍ଧ ତଳେ ବାଜି ଥିବାରୁ ଅଧିକ ରକ୍ତସ୍ରାବ ହୋଇଥିଲା। ଫଳରେ ମାଳତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପୋଲିସ ଘଟଣାର ତଦନ୍ତ କରୁଛି।

Share