ଭଉଣୀ- ଭାଇ ମିଶି ଝାରସୁଗୁଡ଼ାର ବିକାଶ କରିବୁ : ଦୀପାଳି

ବ୍ରଜରାଜନଗର,୯ା୨(ଡି.ଏନ୍‌.ଏ.): ଝାରସୁଗୁଡ଼ା ସରବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ନବ ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭି.କେ. ପାଣ୍ଡିଆନ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସଭାସ୍ଥଳରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ, ପୁଅ ବିଶାଳ ଦାସ, ସ୍ତ୍ରୀ ମିନତୀ ଦାସଙ୍କୁ ଆଶୀର୍ବାଦ ଦେଇଥିଲେ। ସେଠାରେ ଉପସ୍ଥିତ ଥିବା ନବ ଦାସଙ୍କ ମା’ବାପାଙ୍କୁ ମଧ୍ୟ ସାନ୍ତ୍ୱନା ଦେଇଥିଲେ। ହେଲେ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟମନ୍ତ୍ରୀ କିଛି କହି ନ ଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ବହୁ ମନ୍ତ୍ରୀ, ଏମ୍‌ପି ଓ ବିଧାୟକ ଯୋଗଦେଇ ନବ ଦାସଙ୍କ ସ୍ମୃତିଚାରଣ କରିବା ସହିତ ତାଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ନବ ଦାସଙ୍କ ଝିଅ ଦୀପାଳି ଦାସ ଆଗାମୀ ଦିନରେ ବାପା ଯେଉଁ ବିଶାଳ ପରିବାର ଛାଡି ଦେଇଛନ୍ତି ତାଙ୍କ ସୁଖଦୁଃଖରେ ଛିଡା ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ଝାରସୁଗୁଡାର ବିକାଶ ପାଇଁ ବାପା ଯେଉଁ ସ୍ବପ୍ନ ଦେଖିଥିଲେ ତାକୁ ଭାଇ, ଭଉଣୀ ମିଶି ପୂରଣ କରିବୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କଲେଜ କ୍ୟାରିୟରରେ ଗଙ୍ଗାଧର ମେହେର କଲେଜରେ ନବଙ୍କ ସହିତ କାଟିଥିବା ମୁହୂର୍ତ୍ତ ଉପରେ ଆଲୋଚନା କରିଥିଲେ।

Share