ଭୋପାଳ,୧୪।୫: କରୋନା ସମୟରେ ଏକ ପରିବାର ମୁହଁରେ ହସ ଫୁଟି ଉଠିଛି। ୧୬ ବର୍ଷ ଧରି ଅଲଗା ହୋଇଯାଇଥିବା ଭଉଣୀ ଭାଇ ପୁଣି ଏକାଠି ହୋଇଛନ୍ତି। ଏହି ଘଟଣା ମଧ୍ୟପ୍ରଦେଶର ବେତୁଲ ଜିଲାରେ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ମାନସିକ ବିକାରଗ୍ରସ୍ତ। ସେ ଏତେତେଣେ ବୁଲନ୍ତି। ପୋଲିସ ଯେତେବେଳେ ପଚରାଉଚରା କଲା ସେତେବେଳେ ଜଣାପଡ଼ିଥିଲା କି ସେ କଟନି ଜିଲାରେ ରହୁଛନ୍ତି। ୧୬ ବର୍ଷ ଧରି ଘରୁ ନିଖୋଜ ହୋଇଯାଇଥିଲେ। ପୋଲିସ ପରିବାରବର୍ଗଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲା। ପରିବାରବର୍ଗ ସଙ୍ଗେ ସଙ୍ଗେ ବେତୁଲରେ ପହଞ୍ଚିଥିଲେ। ପରିବାର ଲୋକେ ତାଙ୍କୁ ମୃତ ଭାବି ଭୁଲି ଯାଇଥିଲେ। ମାତ୍ର ବୁଧବାର ବେତୁଲ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ତାଙ୍କ ପରିବାର ସହିତ ପରିଚିତ କରାଇଥିଲେ।
କଟନି ଜିଲାର ଜୋବା ଗାଁ ନିବାସୀ ସୁରେଶ ପଟେଲ ବେତୁଲ ରୋଡ୍ରେ ବୁଲୁଥିଲେ। ପୋଲିସ ତାଙ୍କୁ ପଚରାଉଚରା କରିବାରୁ ସେ ତାଙ୍କ ନାଁ ଏବଂ ଗାଁ ଠିକଣା କହିଥିଲେ। ପରେ ପୋଲିସ ପରିବାରବର୍ଗଙ୍କ ନିକଟକୁ ଏକ ଫଟୋ ପଠାଇଥିଲା। ସୁରେଶଙ୍କ ଭଉଣୀ ଅଞ୍ଜୁ ତାଙ୍କୁ ଭାଇଙ୍କ ଫଟୋ ଚିହ୍ନି ବେତୁଲରେ ପହଞ୍ଚିଥିଲେ। ଦୀର୍ଘବର୍ଷ ପରେ ଭଉଣୀ ଭାଇଙ୍କ ଭେଟ ହୋଇଥିବାରୁ ଖୁସିରେ ଅଞ୍ଜୁଙ୍କ ପାଦ ତଳେ ଲାଗୁ ନ ଥିଲା।
କୁହାଯାଏ, ସୁରେଶ ତାଙ୍କ ସ୍ତ୍ରୀ ଏବଂ ଶ୍ୱଶୁର ଘର ଲୋକଙ୍କ ସହ ଟଙ୍କାପଇସାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ସୁରେଶଙ୍କର ମାନସିକ ସ୍ଥିତି ଭଲ ରହିଲା ନାହିଁ। ଫଳରେ ସେ ରାଗି କି ଘରଛାଡ଼ି ଚାଲିଯାଇଥିଲେ।