Categories: ଜାତୀୟ

ଛେଳି ଚୋରି କରୁଥିଲେ ଦୁଇ ଭାଇ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଚେନ୍ନାଇ,୧୩।୧୧: ପିତାଙ୍କ ଫିଲ୍ମରେ ଲିଡ୍‌ ରୋଲ କରିବା ପାଇଁ ଦୁଇ ଭାଇ ଅଜବ ପଦକ୍ଷେପ ଗ୍ରହଣ କରିଛନ୍ତି। ଫିଲ୍ମ ନିର୍ମାଣ ପାଇଁ ଟଙ୍କା ନ ଥିବାରୁ ଦୁଇ ଭାଇ ୩ ବର୍ଷ ହେଲା ଛେଲି ଚୋରି କରୁଥିଲେ। ପୋଲିସ ଉଭୟଙ୍କ ଗିରଫ କରିଛି। ତାମିଲନାଡୁର ଭାଶରମେନପେଟ ଅଞ୍ଚଳରେ ୩୦ ବର୍ଷୀୟ ନିରଞ୍ଜନ କୁମାର ଏବଂ ୩୨ ବର୍ଷୀୟ ଲେନିନ କୁମାର ଛେଳି ଚୋରି କରୁଥିଲେ। ପ୍ରତିଦିନ ଉଭୟ ୮ରୁ ୧୦ଟି ଛେଳି ଚୋରି କରି ବିକ୍ରି କରୁଥିଲେ। ଏହାଦ୍ୱାରା ୮ ହଜାର ଟଙ୍କା ରୋଜଗାର କରୁଥିଲେ। ସେହି ଟଙ୍କା ଫିଲ୍ମ ନିର୍ମାଣ ପାଇଁ ସଞ୍ଚୟ କରି ରଖୁଥିଲେ। ଦୁଇ ଭାଇ ମଧାଭରମ ଅଞ୍ଚଳରେ ପଲାନୀ ନାମକ ଜଣେ ବ୍ୟକ୍ତିଙ୍କ ଛେଳି ଚୋରି କରିଥିଲେ। ଏନେଇ ସେ ଥାନାରେ ଏତଲା ଦେଇଥିଲେ। ପୋଲିସ ସିସି ଟିଭି ଯାଞ୍ଚ କରିବାରୁ ସମ୍ପୃକ୍ତ ଅଞ୍ଚଳରୁ ଅନେକ ଛେଳି ଚୋରି ହୋଇଥିବା ଜଣାପଡିଥିଲା। ପୋଲିସ ଏହାର ଉପରେ ନଜର ରଖିବାକୁ ସାଧା ପୋଷାକରେ ପାଟ୍ରୋଲିଂ ଆରମ୍ଭ କରିଥିଲା। ପରଦିନ ସମ୍ପୃକ୍ତ ଦୁଇ ଭାଇ ଛେଳି ଚୋରାଇବାକୁ ଆସିଥିବା ବେଳେ ପୋଲିସ ସେମାନଙ୍କୁ ଧରିଥିଲା। ଏହାପରେ ସବୁ ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ସୂଚନାଯୋଗ୍ୟ, ଦୁଇ ଭାଇଙ୍କ ପିତା ବିଜୟ ଶଙ୍କର ନି ଥାନ ରାଜା ନାମକ ଏ ଫିଲ୍ମ ନିର୍ମାଣ କରୁଥିଲେ। ଏଥିରେ ତାଙ୍କ ପୁଅ ଲିଡ୍‌ ରୋଲ୍‌ରେ ଥିଲେ। କିନ୍ତୁ ଫିଲତମ ନିର୍ମାଣ ପାଇଁ ଟଙ୍କା ଅଭାବରୁ ସେ ପୁଅଙ୍କ ସହାୟତା ଲୋଡିଥିଲେ।

Share