ସଇଁତଲା,୨୪।୧୦(ରାଖାଲ ପ୍ରସାଦ ଶତପଥୀ): ଦୁଇଦିନ ତଳେ ଭାଇର ଦୀର୍ଘାୟୁ କାମନା କରି ଉପବାସ ରହି ଭଉଣୀ ପାଳିଥିଲା ଭାଇଜିଉନ୍ତିଆ ବ୍ରତ। ହେଲେ ବିଧିର ବିଧାନ କିନ୍ତୁ ଓଲଟା ଦେଖିବାକୁ ମିଳିଛି। ଭାଇର ମୃତଦେହ ରାଜ୍ୟ ବାହାର ଏକ ହସ୍ପିଟାଲରେ ବନ୍ଧା ପଡିଥିବା ବେଳେ ମୃତଦେହ ଗାଁକୁ ଆଣିବା ପାଇଁ ୩ ଭଉଣୀ ଭିକ୍ଷାବୃତ୍ତି କରୁଛନ୍ତି। ଏଭଳି ଏକ ହୃଦୟ ବିତାରକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ସଇଁତଲା ଥାନା ଅନ୍ତର୍ଗତ ଧନକେଡା ଗାଁରେ।
ଗତ ପଞ୍ଚାୟତ ନିର୍ବାଚନରେ ଲୋକଙ୍କ ସେବା କରିବା ପାଇଁ ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ଡେଙ୍ଗ ପଞ୍ଚାୟତର ଧନକେଡା ଗାଁର ରାଜେଶ ଛତ୍ରିଆ ସମିତିସଭ୍ୟ ପ୍ରାର୍ଥୀ ହୋଇଥିଲେ। ହେଲେ ନିର୍ବାଚନରେ ପରାସ୍ତ ହେବା ପରେ ସେ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ହଠାତ୍ ସେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ପରବର୍ତ୍ତୀ ସମୟରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା। ହସ୍ପିଟାଲରୁ ମୃତଦେହ ନେବା ପାଇଁ କର୍ତ୍ତୃପକ୍ଷ ୫୦ ହଜାର ଟଙ୍କା ଦାବି କରିଥିଲେ। ୫୦ ହଜାର ଟଙ୍କା ଦେଇ ମୃତଦେହ ଗାଁକୁ ଆଣିବା ପାଇଁ ସକ୍ଷମ ହୋଇ ନ ଥିଲେ ପରିବାର ଲୋକେ। ବର୍ତ୍ତମାନ ରାଜେଶଙ୍କ ୩ ଭଉଣୀ ଭାଇର ମୃତଦେହ ଘରକୁ ଫେରାଇ ଆଣିବା ପାଇଁ ଗାଁରେ ଭିକ୍ଷାବୃତ୍ତି କରୁଛନ୍ତି। ରାଜ୍ୟ ସରକାରଙ୍କ ସହ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ମୃତଦେହ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି।