ବ୍ରାଉନସୁଗାର ସହ ଗଞ୍ଜେଇ ଜବତ: ବନ୍ଧା ହେଲେ ୩ ଅଭିଯୁକ୍ତ

ବ୍ରହ୍ମପୁର,୨୪।୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଓ ସହରତଳି ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି। ବିଶେଷ କରି ବ୍ରାଉନସୁଗାର ବେପାରୀ ଅଞ୍ଚଳରେ ସକ୍ରିୟ ହୋଇ ଉଠିଛନ୍ତି। ଗୁରୁବାର ଅବକାରୀ ସଦର ରେଞ୍ଜ ଏବଂ ଭ୍ରାମ୍ୟମାଣ ବିଭାଗ ପକ୍ଷରୁ ଗୋପାଳପୁର ଛକରୁ ପଥରା ଛକର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା।

ଚଢାଉ ବେଳେ ଅଧିକାରୀମାନେ ଗୋପାଳପୁର ଛକରେ ଜଣେ ଯୁବକଠାରୁ ୪୧ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲେ। ଏପରିକି ଘଟଣାରେ ସମ୍ପୃକ୍ତ ପଥରା ଗ୍ରାମର ନିଆଜ ଖାନ(୩୯)ଙ୍କୁ ଅଧିକାରୀମାନେ ଧରିବାରେ ସକ୍ଷମ ହୋଇଥିଲେ। ସେହିପରି ପଥରା ଛକରୁ ପୁଣି ଜଣେ ଯୁବକଠାରୁ ୨୫ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିଲା। ଅବକାରୀ ଟିମ୍‌ ଘଟଣାରେ ସମ୍ପୃକ୍ତ ପଥରା ଗାଁର ଭରତ କୁମାର ସାହୁଙ୍କୁ (୩୯) ଗିରଫ କରିଥିଲା।

ଦୁହେଁ ଖୋର୍ଦ୍ଧାରୁ ବ୍ରାଉନ୍ସୁଗାର ଆଣିଥିବା ଅବକାରୀ ବିଭାଗ ଖବର ପାଇଛି। ଅବକାରୀ ଅଧୀକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ନିର୍ଦ୍ଦେଶ କ୍ରମେ ସଦର ରେଞ୍ଜ ଆଇଆଇସି ଅର୍ଜୁନ ମଲ୍ଲିକ ଏବଂ ଭ୍ରାମ୍ୟମାଣ ସଂସ୍ଥାର ଆଇଆଇସି ମନିଷା ଭୋଳଙ୍କ ନେତୃତ୍ୱରେ ମିଳିତ ଚଢାଉ କରାଯାଇଥିଲା। ଅବକାରୀ ବିଭାଗ ଦୁଇଟି ପୃଥକ ମାମଲା ରୁଜୁ କରି ଗିରଫ ଦୁଇ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି। ଗତ ୨୦ତାରିଖରେ ଭ୍ରାମ୍ୟମାଣ ଅବକାରୀ ଟିମ୍‌ ଶ୍ରୀରାମନଗର ଛକରୁ ଜଣେ ଯୁବକଠାରୁ ୩୨ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା।

ଅନ୍ୟପକ୍ଷେ ଅବକାରୀ ବିଭାଗର ପଥରା ଛକରୁ ଜଣେ ଯୁବକଙ୍କଠାରୁ ୧୦ କେଜି ଗଞ୍ଜେଇ ଜବତ କରିଛି। ଏପରିକି ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ କାହ୍ନା ଡାକୁଆଙ୍କୁ (୧୯) ଗିରଫ କରାଯାଇଛି। କାହ୍ନା ଆସିକାର ମୂଳ ବାସିନ୍ଦା ହୋଇଥିବା ବେଳେ ପୁଲ୍ଟାରେ ରହୁଥିଲେ। ଗଞ୍ଜେଇ ଧରି ବ୍ରହ୍ମପୁର ରେଳଷ୍ଟେଶନ ଯାଉଥିବା ଜେରା ବେଳେ ସେ ସ୍ବୀକାର କରିଥିବା ସୂଚନା ମିଳିଛି। ଏନେଇ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।