ହାଇଦ୍ରାବାଦ୍,୧୧।୭: ୟୁନିଫର୍ମ ସିଭିଲ କୋଡକୁ ନେଇ ଆଜିକାଲି ଭାରତରେ ଅନେକ ବିତର୍କ ଚାଲିଛି। ଅନେକ ରାଜନୈତିକ ଦଳ ଏହାକୁ ବିରୋଧ କରୁଥିବାବେଳେ କିଛି ଦଳ ଏହାକୁ ସମର୍ଥନ କରୁଛନ୍ତି। ଏହି କ୍ରମରେ ବିଆରଏସ ମଧ୍ୟ ଏହାକୁ ବିରୋଧ କରିଛି। ବିଆରଏସ କହିଛି, ଯଦି ସଂସଦରେ ୟୁନିଫର୍ମ ସିଭିଲ କୋଡ ପ୍ରଣୟନ କରାଯାଏ, ତେବେ ଏହାକୁ ବିରୋଧ କରାଯିବ। ଏହା ସହିତ ଏହି ବିଲକୁ ବିରୋଧ କରିବା ପାଇଁ ଅନ୍ୟ ଦଳଗୁଡ଼ିକୁ ମଧ୍ୟ ଏକତ୍ର କରିବେ।
ବିଆରଏସ ସଭାପତି ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି, ଦେଶର ଅଖଣ୍ଡତା ପାଇଁ କ୍ଷତିକାରକ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିଆରଏସ ବିରୋଧ କରୁଛି। ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ଗତ ନଅ ବର୍ଷ ମଧ୍ୟରେ ଦେଶର ବିକାଶ ତଥା କଲ୍ୟାଣକୁ ଅବହେଳା କରିଛନ୍ତି। ବିଭିନ୍ନ ଉପାୟରେ ଭାଜପା ଲୋକଙ୍କୁ ଅସୁବିଧାରେ ପକାଉଛି। ୟୁସିସି ନାମରେ ଲୋକଙ୍କୁ ଭାଗ କରିବାକୁ ଭାଜପା ଚେଷ୍ଟା କରୁଛି। ଭାରତର ଏକତା ବିଶ୍ୱରେ ଏକ ଉଦାହରଣ। ତେଣୁ ଏହାର ସୁରକ୍ଷା ପାଇଁ ବିଲକୁ ପ୍ରତ୍ୟାଖ୍ୟାନ କରିବା ଆବଶ୍ୟକ। ଭାଜପା ଏହି ବିଲ ଆଗତ କରି ଲୋକଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି।