ଭୁବନେଶ୍ୱର, ୧୭।୬ (ବ୍ୟୁରୋ):ନିୟମ ଉଲ୍ଲଂଘନ ନେଇ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସ୍ସିଏଲ୍) ପକ୍ଷରୁ ୧୦ କିଓସ୍କ ଉପରେ ଗୁରୁବାର କାର୍ଯ୍ୟାନୁଷ୍ଠାନ ହୋଇଛି। ମାଷ୍ଟରକ୍ୟାଣ୍ଟିନ ଛକଠାରୁ ପଦ୍ମାଳୟ ବୁକ୍ଷ୍ଟୋର ପର୍ଯ୍ୟନ୍ତ ୭ଟି ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଥିବା ୩ଟି ବୁକ୍ ଷ୍ଟୋର୍କୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସିଲ୍ କରାଯାଇଛି।
ଦୋକାନୀମାନେ ପୂର୍ବରୁ ଛୋଟ ଛୋଟ କ୍ୟାବିନ୍ରେ ବହି ବିକ୍ରୟ କରି ଆସୁଥିଲେ। ବିଏସ୍ସିଏଲ୍ ପକ୍ଷରୁ ସେମାନଙ୍କ ପାଇଁ କିଓସ୍କ ସହ ଆନୁଷଙ୍ଗିକ ବନ୍ଦୋବସ୍ତ କରାଯାଇଥିଲା। ହେଲେ କିଛିଦିନ ପରେ ବ୍ୟବସାୟୀମାନେ ଫୁଟ୍ପାଥ୍ ଉପରକୁ ମାଡ଼ି ଆସି ବେଞ୍ଚ ପକାଇ ବହି ବିକ୍ରି କରୁଥିଲେ। ଏପରିକି ରାସ୍ତାପାର୍ଶ୍ୱରେ ଲାଗିଥିବା ଗଛ ଏବଂ ଏହାର ସୁରକ୍ଷା ପାଇଁ ଥିବା ବାଡ଼ ମଧ୍ୟ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା। ବୁଧବାର ଏନେଇ ଏକ ବୈଠକ ବସି କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନିଆଯାଇଥିଲା। ବିଏମ୍ସି କମିଶନର ସଞ୍ଜୟ କୁମାର ସିଂହ ଏବଂ ବିଏସ୍ସିଏଲ୍ ଜେନେରାଲ ମ୍ୟାନେଜର ସ୍ଥାନୀୟ ଅଞ୍ଚଳ ପରିଦର୍ଶନ କରିଥିଲେ। ଗୁରୁବାର ବ୍ୟବସାୟିକ ଚୁକ୍ତି ତଥା ନିୟମ ଉଲ୍ଲଂଘନ କରୁଥିବା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଏମ୍ସି ସେଣ୍ଟ୍ରାଲ ସ୍କ୍ବାଡ୍ ଏବଂ ବିଏସ୍ସିଏଲ୍ ସ୍କ୍ବାଡ୍ ମିଳିତ ଭାବେ ଚଢ଼ାଉ କରି ମାଷ୍ଟର କ୍ୟାଣ୍ଟିନ୍ ଛକରୁ ମହର୍ଷି ଛକ ମଧ୍ୟରେ ଥିବା ୧୦ଟି ଦୋକାନକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରାଯାଇଛି। କେତେଜଣ ଅସାଧୁ ଦୋକାନୀ ନିର୍ଦ୍ଦେଶ ପାଳନ କରୁ ନ ଥିବାବେଳେ ପ୍ରୋଟୋକଲ ମାନୁନାହାନ୍ତି। ତେଣୁ ବ୍ୟବସାୟିକ ନିୟମରେ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏସ୍ସିଏଲ୍ ପକ୍ଷରୁ କୁହାଯାଇଛି।