ସ୍ବାଭିମାନ ଅଞ୍ଚଳରେ ବିଏସ୍‌ଏଫ୍‌ ଏଡିଜି: ମାଓବାଦୀ ଦମନ ରଣନୀତି ସମୀକ୍ଷା

ଚିତ୍ରକୋଣ୍ଡା, ୧୪।୧୧(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳକୁ ବିଏସ୍‌ଏଫ୍‌ ଏଡିଜି ଏସ୍‌.ଏଲ୍‌. ଥାଓସେଲ୍‌ ଶନିବାର ଗସ୍ତ କରିଛନ୍ତି। ମାଲକାନଗିରି ଏସ୍‌ପି ରିଷିକେଶ ଖିଲାରୀଙ୍କ ସହ ସେ ଗୋରାସେତୁ ବିଏସ୍‌ଏଫ୍‌ କ୍ୟାମ୍ପକୁ ଯାଇଥିଲେ। ସେଠାରେ ସ୍ଥାନୀୟ ଅଞ୍ଚଳର ସୁରକ୍ଷା ସହ ବିକାଶ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଅଞ୍ଚଳକୁ ମାଓବାଦୀ ମୁକ୍ତ କରିବା ପାଇଁ ଚାଲିଥିବା ରଣନୀତିର ସେ ସମୀକ୍ଷା କରିଥିଲେ। ସ୍ବାଭିମାନ ଅଞ୍ଚଳବାସୀଙ୍କୁ ମୋବାଇଲ ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଆସନ୍ତା ୧୭ତାରିଖରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଉଦ୍‌ଘାଟନ କରିବେ। ରାଜ୍ୟ କ୍ରୀଡାମନ୍ତ୍ରୀ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାକୁ ନଜରରେ ରଖି ସ୍ବାଭିମାନ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡ଼ି କରାଯାଉଛି। ଏଡିଜି ସେଠାରେ ଉପସ୍ଥିତ ବିଏସ୍‌ଏଫ, ଏସ୍‌ଓଜି, ସିଆର୍‌ପିଏଫ୍‌ ଓ ପୋଲିସ ଅଧିକାରୀଙ୍କୁ ଦୀପାବଳିର ଅଭିନନ୍ଦନ ଜଣାଇଥିଲେ।