ମାଓବାଦୀଙ୍କ ଭୟ ଦୂର କରିବ ବିଏସ୍‌ଏଫ କ୍ୟାମ୍ପ

ମାଲକାନଗିରି/ଚିତ୍ରକୋଣ୍ଡା,୯ା୧୨(ଡି.ଏନ.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ମାଓବାଦୀଙ୍କ ପାର୍ଦୁଭାବକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ତଥା ପଣସପୁଟ ପଞ୍ଚାୟତ ଘନବେଢାଠାରେ ଗୁରୁବାର ଏକ ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ହୋଇଛି।

ବିଏସଏଫ ଡ଼ିଆଇଜି ସଞ୍ଜୟ କୁମାର ସିଂ, ମାଲକାନଗିରି ଏସ୍‌ପି ପ୍ରହଲ୍ଲାଦ ସହାଇ ମିନାଙ୍କ ଉପସ୍ଥିତିରେ ଘନବେଢାରେ ଉଡିଛି ତ୍ରିରଙ୍ଗା ପତାକା। ମାଓବାଦୀ ଦମନ ପାଇଁ ପ୍ରଥମେ ହନ୍ତାଳଗୁଡ଼ା ପରେ ଜନ୍ତୁରାଇ, ଯୋଡ଼ାମ୍ବର ଦାରଲାବେଢା ଓ ଗୋରାସେତୁଠାରେ ପୂର୍ବରୁ ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ହୋଇଥିଲା। ଯୋଡ଼ାମ୍ବରେ ମଧ୍ୟ ଥାନା ଖୋଲିଥିଲା। ଏବେ ମାଓବାଦୀ କାର୍ଯ୍ୟକଳାପକୁ ଦମନ କରି ଉନ୍ନୟନମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ଘନବେଢାରେ ବିଏସଏଫ କ୍ୟାମ୍ପ ସ୍ଥାପନ କରାଯାଇଛି। ଏହି କ୍ୟାମ୍ପ ଉଭୟ ଘନବେଢା ଓ ଗୋରାସେତୁକୁ ସମ୍ପୂର୍ଣ୍ଣ ମାଓବାଦୀମୁକ୍ତ କରି ପାରିବା ସହ ଅଣ୍ଡିରାପାଲି ପଞ୍ଚାୟତର କେତେକ ଗ୍ରାମ ଉପରେ ନଜର ରଖିପାରିବ। ଉକ୍ତ ଅଞ୍ଚଳ ଦୀର୍ଘ ବର୍ଷ ଧରି ବିଚ୍ଛିନ୍ନ ଦୁର୍ଗମ ପାହାଡି ଅଞ୍ଚଳ ରୂପେ ପରିଚିତ ଥିଲା। ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ଦ୍ୱାରା ଏହି ଅଞ୍ଚଳର ବିକାଶ ଦ୍ରୁତଗତିରେ ଆଗେଇବ। ମାଓାଦୀଙ୍କ ପ୍ରତି ଲୋକଙ୍କ ଭୟ ରହିବ ନାହିଁ ବୋଲି ଏସ୍‌ପି ମୀନା କହିଛନ୍ତି। ସେ ମାଓବାଦୀମାନଙ୍କୁ ଅଞ୍ଚଳର ବିକାଶରେ ସାମିଲ ହୋଇ ମୁଖ୍ୟସ୍ରୋତକୁ ଫେରିଆସିବା ପାଇଁ ପରାମର୍ଶ ଦେଇଛନ୍ତି।

Share