Categories: ଜାତୀୟ

ବିଏସ୍‌ଏଫ୍‌ ହାତରେ ପାକିସ୍ତାନୀ ପାରା

ଜୈସଲମେର,୧୧।୨: ରାଜସ୍ଥାନର ଜୈସଲମେର ଜିଲାରେ ଏକ ପାକିସ୍ତାନୀ ପାରା ବିଏସ୍‌ଏଫ୍‌ ହାତରେ ଧରା ପଡ଼ିଛି। ପାକିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ପାରାଟିକୁ ଏକ ଗଛ ବୁଦାରେ ବସିଥିବା ସମୟରେ ବିଏସ୍‌ଏଫ୍‌ର ୧୮-ବି ବାଟାଲିଅନ ଯବାନ ଧରିଛନ୍ତି। ପାରାଟିର ଦୁଇ ଗୋଡ଼ରେ ଟ୍ୟାଗ୍‌ ଲଗାଯାଇଛି। ଏଥିରେ କ୍ୟୁ-୧୫, ୨୭ ଏବଂ ୩୨ ନମ୍ବର ଲେଖା ଯାଇଛି। ସେହିପରି ଏହାର ଭିତର ପଟ ପରରେ ୨୩୦ ଜିପିଏସ୍‌, ୧୫୦ ଜିପିଏସ୍‌ ଏବଂ ଆଟ୍‌ ଦି ରେଟ୍‌ ୩୧୦ ଜିପିଏସ୍‌ ଲେଖା ହୋଇଛି। ଶାହଗଡ଼ ବଲ୍ଜଠାରେ ଥିବା ବର୍ଡର ଆଉଟ୍‌ ପୋଷ୍ଟ୍‌ ଏସ୍‌ଡିକେର ପାର୍ଟି ନମ୍ବର-୨ ନିକଟରେ ପାରାକୁ ଧରାଯାଇ ଏହା ଗୁପ୍ତଚରୀ କାର୍ଯ୍ୟରେ ନିୟୋଜିତ କି ନୁହେଁ ତାହାର ଯାଞ୍ଚ୍‌ ଜାରି ରହିଛି। ସାଧାରଣତଃ ୨୩୦ ଜିପିଏସ୍‌ ଜିୟୋଲୋକେଟର ପକ୍ଷୀଙ୍କୁ ଟ୍ରାକ୍‌ କରିବା ଲାଗି ବ୍ୟବହାର କରାଯାଇଥାଏ। ପାରାଟି କୋଲମ୍ବିଡ଼ା ପ୍ରଜାତିର ବୋଲି ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି। ଏହି ପ୍ରଜାତି ଦକ୍ଷିଣ କଜାନିସ୍ତାନ, ଉଜବେକିସ୍ତାନ, ତୁର୍କିମେନିସ୍ତାନ, ତାଜିକିସ୍ତାନ, କିର୍ଗିସ୍ତାନ, ଆଫଗାନିସ୍ତାନ, ଉତ୍ତରପୂର୍ବ ଇରାନ, ଉତ୍ତର-ପଶ୍ଚିମ ଚାଇନା ଆଦି ଅଞ୍ଚଳରେ ବାସ କରନ୍ତି। ତେବେ ଶୀତ ଦିନେ ସେମାନେ ଉଡ଼ି ଉତ୍ତର-ପୂର୍ବ ପାକିସ୍ତାନ, ଜମ୍ମୁ-କଶ୍ମୀର, ରାଜସ୍ଥାନର କେତେକ ଅଞ୍ଚଳକୁ ପଳାଇ ଆସିଥାନ୍ତି। ସୂଚନାଯୋଗ୍ୟ, ୨୦୨୦ ମେରେ ଏଭଳି ଏକ ପାକିସ୍ତାନୀ ପାରାକୁ ବିଏସ୍‌ଏଫ୍‌ ଯବାନ ଧରିଥିଲେ।

Share