
କୋକସରା,୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଗ୍ରାମର ଜୟ ନାରାୟଣ ଶବରଙ୍କ ପୁଅ ତଥା ବିଏସ୍ଏଫ ଯବାନ ରଶ୍ମୀ ରଞ୍ଜନ ଶବର(୪୫) ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେ ୨୦୦୬ରେ ବିଏସ୍ଏଫ୍ରେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ ରାଜସ୍ଥାନରେ କାର୍ଯ୍ୟରତ ଥିଲେ। ତାଙ୍କ ସ୍ତ୍ରୀ ପଞ୍ଚମୀ ଶବର ନୂଆପଡ଼ା ପୋଲିସରେ କାର୍ଯ୍ୟରତ ଅଛନ୍ତି।
ମିଳିଥିବା ସୂଚନା ମୁତାବକ, ରଶ୍ମିରଞ୍ଜନ ଗତ କିଛିଦିନ ହେଲା ଛୁଟିରେ ଆସି ପରିବାର ସହ ନୂଆପଡ଼ାରେ ଥିଲେ। ହେଲେ ଶୁକ୍ରବାର ରାତିରେ ରଶ୍ମୀ ରଞ୍ଜନ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଶନିବାର ସାରେ ଯବାନଙ୍କ ମୃତଦେହ ନିଜ ପୈତୃକ ଗାଁ କୋକସରାରେ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
ଯବାନଙ୍କୁ ଶେଷ ସମ୍ମାନ ଦେବା ପାଇଁ କୋରାପୁଟରେ ନିୟୋଜିତ ଥିବା ବିଏସ୍ଏଫ ଯବାନ ଓ ଅଧିକାର ଗାଁରେ ପହଞ୍ଚି ଗାର୍ଡ ଅଫ ଅନର ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ ଗାଁ ମଶାଣିରେ ରଶ୍ମୀ ରଞ୍ଜନଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା।