ଅମୃତସର.୧୮।୧୦: ପଞ୍ଜାବର ଅମୃତସର ସେକ୍ଟର ସୀମାରୁ ପ୍ରବେଶ କରିଥିବା ଏକ ପାକିସ୍ତାନ ଡ୍ରୋନକୁ ଭାରତୀୟ ସୈନିକମାନେ ତଳକୁ ଖସାଇଛନ୍ତି। ଏହି ଡ୍ରୋନରୁ ଡ୍ରଗ ପ୍ୟାକେଟ ଜବତ କରାଯାଇଛି। ବିଏସଏଫ ଯବାନମାନେ ଅମୃତସରର ଛାନା ଗ୍ରାମ ନିକଟରେ ପାଟ୍ରୋଲିଂ ଡ୍ୟୁଟିରେ ଥିବାବେଳେ ଡ୍ରୋନ୍ଟି ପାକିସ୍ତାନ ପଟୁ ଆସୁଥିବା ଦେଖିଥିଲେ। ସେମାନେ ସଙ୍ଗେ ସଙ୍ଗେ ଗୁଳି ଚଳାଇ ତଳକୁ ଖସାଇଥିଲେ। ବିଏସଏଫ ଅଧିକାରୀଙ୍କ ଅନୁଯାୟୀ, ଡ୍ରୋନରୁ ୨.୫୧ କିଲୋ ଡ୍ରଗ୍ସ ଜବତ କରାଯାଇଛି। ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ପାକିସ୍ତାନ ଏଭଳି ବେଆଇନ ଉଦ୍ୟମ କରିଛି।
ଚଳିତ ବର୍ଷ ଜାନୁଆରୀ ୧ରୁ ସେପ୍ଟେମ୍ବର ୧୫ ମଧ୍ୟରେ ପାକିସ୍ତାନର ସାତୋଟି ଡ୍ରୋନ ପଞ୍ଜାବର ଅମୃତସର, ଫେରୋଜପୁର ଏବଂ ଅବୋହର ଅଞ୍ଚଳରେ ଦେଖିବାକୁ ମିଳିଥିଲା।