Categories: ଜାତୀୟ

ଚାଇନା ନିର୍ମିତ ପାକିସ୍ତାନୀ ଡ୍ରୋନକୁ ଗୁଳି ଖସାଇଲେ ବିଏସଏଫ ଯବାନ, ୪ ପ୍ୟାକେଟ ହେରୋଇନ ଜବତ…

ଗୁରୁଦାସପୁର,୧୯।୨ : ପଞ୍ଜାବର ଗୁରୁଦାସପୁରରେ ବିଏସଏଫ ଯବାନମାନେ ଏକ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଛନ୍ତି। ଏଥିରୁ ୪ ପ୍ୟାକେଟ ହେରୋଇନ ଜବତ କରାଯାଇଇଛି। ଶନିବାର ରାତି ୯ ଟା ୧୫ ରେ, ବିଏସଏଫ ଯବାନମାନେ ଭାରତ-ପାକିସ୍ତାନ ସୀମାର ଗୁରୁଦାସପୁର ସୀମାର ଘାନିକେ ବିଓପି ଠାରେ ଏକ ସନ୍ଦିଗ୍ଧ ଡ୍ରୋନର ଗତିବିଧି ଦେଖିଥିଲେ। ଯେତେବେଳେ ଡ୍ରୋନ ଭାରତୀୟ ଅଞ୍ଚଳରେ ପ୍ରବେଶ କଲା, ସେତେବେଳେ ବିଏସଏଫ ଯବାନମାନେ ଏହା ଉପରକୁ ଗୁଳି ଚଳାଇଥିଲେ।

ପାକିସ୍ତାନରୁ ଆସିଥିବା ଡ୍ରୋନ ଚାଇନାରେ ନିର୍ମିତ। ଏହା ୯ କିଲୋଗ୍ରାମ ଓଜନ ଉଠାଇ ଉଡିପାରିବ। ପୁଣି ଥରେ ବିଏସଏଫର ସତର୍କ ଯବାନମାନେ ଚୋରା ଚାଲାଣକାରୀଙ୍କ ଉଦ୍ଦେଶ୍ୟକୁ ପଣ୍ଡ କରିଛନ୍ତି।

ରବିବାର ସକାଳେ ଗୁରୁଦାସପୁର ଜିଲାର ଖାସାୱାଲି ଗ୍ରାମ ନିକଟରେ ବିଏସଏଫର ୧୧୩ ବାଟାଲିୟନ ଯବାନମାନେ ଚୋରା ଚାଲାଣକାରୀଙ୍କ ସନ୍ଦେହଜନକ ଗତିବିଧି ଦେଖିବା ପରେ ଏନକାଉଣ୍ଟର ଆରମ୍ଭ କରିଥିଲେ। ବିଏସଏଫର ଡେପୁଟି ଇନ୍ସପେକ୍ଟର ପ୍ରଭାକର ଯୋଶୀ ଗୁରୁଦାସପୁରରେ ଗଣମାଧ୍ୟମକୁ କହିଛନ୍ତି, ଭୋର ସାଢ଼େ ୫ଟାରେ ବିଏସଏଫର କନଷ୍ଟେବଳ ହେମରାମ ଘନ କୁହୁଡିରେ ପାଟ୍ରୋଲିଂ କରୁଥିବାବେଳେ କିଛି ସନ୍ଦେହଜନକ ଗତିବିଧି ଦେଖିଥିଲେ। ତାହା ଚୋରା ଚାଲାଣକାରୀ ବୋଲି ଜଣାପଡ଼ିଥିଲା। ଏହାପରେ ସତର୍କ ସୂଚନା ଜାରି କରାଯାଇଥିଲା। ତେବେ ଚୋରାଚାଲାଣକାରୀମାନେ ପାକିସ୍ତାନ ପାର୍ଶ୍ୱରୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାର ଜବାବରେ ବିଏସଏଫ ଯବାନମାନେ ମଧ୍ୟ ପାଲଟା ଗୁଳି ଚଳାଇଥିଲେ। ପରେ ଚୋରା ଚାଲାଣକାରୀମାନେ ଦୌଡି ପଳାଇ ଯାଇଥିଲେ।

Share