ସୁଧୁରୁନି ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବାର୍କ ସେବା, ଏସ୍‌ପିଙ୍କୁ ଭେଟିଲେ ଉପଭୋକ୍ତା

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ): ସରକାରଙ୍କ ପକ୍ଷରୁ ଟେଲିକମ ବିଭାଗ ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟ ହେଉଛି। ହେଲେ ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁର ସହରରେ ବିଏସ୍‌ଏନ୍‌ଏଲ୍‌ ନେଟଓ୍ବାର୍କ ଲଗାତର ଭାବେ ସମସ୍ୟା ଦେଖାଦେଉଛି। ଏନେଇ ବାରମ୍ବାର ସହରର ଉପଭୋକ୍ତାମାନେ ବିଏସ୍‌ଏନ୍‌ଏଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଅଧିକାରୀମାନେ କର୍ଣ୍ଣପାତ କରୁନାହାନ୍ତି। ଫଳରେ ବହୁଦିନ ଧରି ସହରର ଉପଭୋକ୍ତାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନେଟଓ୍ବାର୍କ ସମସ୍ୟା ପାଇଁ ସହରର ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଯୁବତୀ/ଯୁବକ ଅନ୍‌ଲାଇନ୍‌ରେ ବିଭିନ୍ନ ପାଠପଢ଼ାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏସଂକ୍ରାନ୍ତରେ ଅଧିକାରୀମାନଙ୍କ ବୈମାତୃକ ମନୋଭାବକୁ ନେଇ ବୁଧବାର ସହରର ବ୍ୟବସାୟୀ ଏବଂ ଜନସାଧାରଣ ବିଏସଏନଏଲ ଜିଏମ୍‌ଙ୍କଠାରୁ ଆରମ୍ଭ କରି ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ପଦାଧିକାରୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିବା ପାଇଁ ଗଞ୍ଜାମ ଏସ୍‌ପି ଜଗମୋହନ ମୀନାଙ୍କୁ ଭେଟିଛନ୍ତି। ଛତ୍ରପୁର ସହରକୁ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବାର୍କ ସୁବିଧା ତୁରନ୍ତ ଯୋଗାଇ ଦିଅନ୍ତୁ ନଚେତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆଇନଜୀବୀ ବି.ଶ୍ରୀନିବାସ, ୟୁଥ୍‌ ମାସ ସେବା ସଂଘର ସମ୍ପାଦକ ସୟଦ ମୁକ୍ତାର, କାଉନସିଲର କେ.ରମେଶଙ୍କ ସମେତ ବହୁ ଉପଭୋକ୍ତା ଏସ୍‌ପିଙ୍କୁ ଭେଟି ଅଭିଯୋଗ କରିଛନ୍ତି।

Share