Categories: ଜାତୀୟ

ଅସଦ ଅହମଦ ଏନକାଉଣ୍ଟରକୁ ନେଇ ଯୋଗୀ ସରକାରଙ୍କୁ ଅପିଲ କଲେ ମାୟାବତୀ

ଲକ୍ଷ୍ନୌ,୧୩।୪: ଉମେଶ ପାଲ ହତ୍ୟାକାଣ୍ଡରେ ଫେରାର ଥିବା ଅଭିଯୁକ୍ତ ଅତିକଙ୍କ ପୁଅ ଅସଦ ଅହମଦ ଓ ତାଙ୍କ ସହଯୋଗୀ ଗୁଲାମ ମହମ୍ମଦ ଉତ୍ତର ପ୍ରଦେଶ ଏସଟିଏଫ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଏହି ଏନକାଉଣ୍ଟରକୁ ନେଇ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଏହି ଏନକାଉଣ୍ଟକୁ ନେଇ ଯୋଗୀ ସରକାରଙ୍କୁ ଏହାର ଉଚ୍ଚ ସ୍ତରୀୟ ଯାଞ୍ଚ ପାଇଁ ଦାବି କରିଛନ୍ତି।
ଏହି ଏନକାଉଣ୍ଟରକୁ ନେଇ ମାୟାବତୀ ଟୁଇଟରେ ଲେଖିଛନ୍ତି, ପ୍ରୟାଗରାଜର ଅତିକ ଅହମଦଙ୍କ ପୁଅ ଓ ତାଙ୍କର ଅନ୍ୟ ଜଣେ ସହଯୋଗୀ ଗୁରୁବାର ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଏବେ ଏହାକୁ ନେଇ ଅନେକ ପ୍ରକାର ଚର୍ଚ୍ଚା ହେଉଛି। ଲୋକେ ଭାବୁଛନ୍ତି, ବିକାଶ ଦୁବେ କାଣ୍ଡକୁ ଦୋହରା ଯାଇଛି। ତେଣୁ ଏହି ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଓ ସତ୍ୟତା ଲୋକ ଲୋଚନକୁ ଆଣିବାକୁ ଉଚ୍ଚ ସ୍ତରୀୟ ଯାଞ୍ଚ ଜରୁରୀ।
ଏପଟେ ଅସଦ ଅହମଦଙ୍କ ଏନକାଉଣ୍ଟର ପରେ ପ୍ରୟାଗରାଜର ପୁରୁଣା ସହରରେ ପୋଲିସ ସତର୍କତା ବଢାଇ ଦିଆଯାଇଛି। ଏହାସହ ସୋସିଆଲ ମିଡିଆରେ ଆସୁଥିବା ମେସେଜ ଉପରେ ନଜର ରଖାଯାଇଛି।

Share