ବ୍ରାଉନ୍‌ସୁଗାର କାରବାର: ଖୋର୍ଦ୍ଧାର ବିଟେକ୍‌ ଛାତ୍ରଙ୍କୁ ବାନ୍ଧିଲା ଏସ୍‌ଟିଏଫ୍‌

ଖୋର୍ଦ୍ଧା ଅଫିସ,୪।୯ : ଖୋର୍ଦ୍ଧା ପାଲଟିଛି ବ୍ରାଉନସୁଗାରର ପେଣ୍ଠସ୍ଥଳୀ। ଯେତିକି ଧରପଗଡ ଚାଲିଛି, ସେତିକି କାରବାର ବଢିଚାଲିଛି। ବାଲେଶ୍ବର ଜଳେଶ୍ବରଠାରୁ ଚେର ଖୋର୍ଦ୍ଧା ପର୍ଯ୍ୟନ୍ତ ଲମ୍ବିଛି। ଏଠାରୁ ଜିଲାର ବିଭିନ୍ନ ଗ୍ରାମକୁ ବ୍ରାଉନସୁଗାର ପଠାଯାଉଛି। ବାରମ୍ବାର ଏସ୍‌ଟିଏଫ୍‌ ପକ୍ଷରୁ ଧରପଗଡ ସତ୍ତ୍ବେ ଏହି କାରବାର ଥମିବାର ନାଁ ନେଉନାହିଁ। ଯୁବପୀଢ଼ି ମଧ୍ୟ ସ୍ବଳ୍ପ ସମୟରେ ଅଧିକ ଟଙ୍କା ରୋଜଗାର ଆଶାରେ ବ୍ରାଉନସୁଗାର କାରବାରରେ ଲିପ୍ତ ରହୁଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଶନିବାର ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ପେଟ୍ରୋଲ ପମ୍ପ ନିକଟରୁ ଏସ୍‌ଟିଏଫ୍‌ ୧ କେଜି ୩୪ ଗ୍ରାମ ବ୍ରାଉନସୁଗର ଜବତ କରିଛି। ଏହାର ମୂଲ୍ୟ କୋଟିଏରୁ ଉଦ୍ଧର୍‌ବ ହେବ। ଏଥିରେ ସମ୍ପୃକ୍ତ ଥିବା ମନୋରଞ୍ଜନ ଦାସ ନାମକ ଜଣେ ବି-ଟେକ ଛାତ୍ରଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ଘର ଖୋର୍ଦ୍ଧା ଗୁରୁଜଙ୍ଗରେ ବୋଲି ଜଣାପଡ଼ିଛି। ତେବେ ଏଯାବତ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଦ୍ବାରା ୩୯ କେଜିରୁ ଅଧିକ ବ୍ରାଉନସୁଗାର ଜବତ ହୋଇସାରିଲାଣି।

Share