Categories: ଫୁରସତ

ବବଲ୍‌ ଗମ୍‌ – ଚୁଇଂଗମ୍‌

ପିଲାଦିନେ ପ୍ରାୟ ସମସ୍ତେ ବବଲ୍‌
ଗମ୍‌ ଖାଇ ତାକୁ ପାଟିରେ ବେଲୁନ୍‌ ପରି ଫୁଲେଇଥିବେ। ସେମିତି ଚୁଇଂ ଗମ୍‌ ବି ଖାଇଥିବେ। ଅନେକେ ଭାବନ୍ତି ବବଲ୍‌ ଗମ୍‌ ଯାହା, ଚୁଇଂଗମ୍‌ ସେଇୟା । ହେଲେ ନା, ଏକାପରି ଲାଗୁଥିଲେ ହେଁ ଦୁଇଟି ଯାକ
ଅଲଗା। ତେବେ ଏହା ଭିତରର ଫରକ କ’ଣ? ଆଉ ଏହାକୁ କେବେ ଓ କିଏ ତିଆରି କରିଥିଲେ ଜାଣନ୍ତି କି? ସେ ସମ୍ପର୍କରେ କିଛି…

କେବେଠୁ ଅଛି ଚୁଇଂଗମ୍‌ : ବବଲ୍‌ ଗମ୍‌ର ବହୁ ଆଗରୁ ତଥା ନିଓଲିଥିକ ପିରିୟଡ ଅର୍ଥାତ୍‌ ନ୍ୟୁ ଷ୍ଟୋନ୍‌ ଏଜ୍‌ରୁ ଚୁଇଂ ଗମ୍‌ ଥିବା ଜଣାଯାଏ। ୫୦୦୦ ବର୍ଷ ପୂର୍ବେ ଧଳାଆକାସିଆ ଗଛ ଛାଲିର ଟାର୍‌ରୁ ଚୁଇଂଗମ୍‌ ତିଆରି ହେଉଥିଲା। ଏହି ଟାର୍‌ରୁ ତିଆରି ଗମ୍‌ରେ ଆଣ୍ଟିସେପ୍ଟିକ୍‌ ପ୍ରପର୍ଟି ଓ ଅନ୍ୟାନ୍ୟ ଔଷଧୀୟ ଗୁଣ ରହୁଥିଲା। ମାୟା ସଭ୍ୟତାରେ ପ୍ରାକୃତିକ ଅଠା ବା ଚିକଲ୍‌ ଗଛର ଅଠା ବ୍ୟବହାର କରୁଥିଲେ ଚୁଇଂଗମ୍‌ର ବେସ୍‌ ତିଆରି କରିବା ପାଇଁ। ତେବେ ୧୮୬୦ରେ ଆଧୁନିକ ଚୁଇଂଗମ୍‌ ତିଆରି ହୋଇଥିଲା।
ବବଲ୍‌ ଗମ୍‌ର ଇତିହାସ: ବବଲ୍‌ ଗମ୍‌ ତିଆରି କରିବାର ଯୋଜନା ପ୍ରଥମେ ଫିଲାଡେଲଫିଆସ୍ଥ ଫି୍ଲୟର କର୍ପୋରେଶନ୍‌ର ସଂସ୍ଥାପକ ଫ୍ରାଙ୍କ ଏଚ୍‌ ଫ୍ଲିୟର୍‌ଙ୍କ ମନକୁ ଆସିଥିଲା। ୧୯୦୬ରେ ସେ ପ୍ରଥମ ବବଲ୍‌ ଗମ୍‌ ତିଆରି କରିଥିଲେ। ସେ ନିଜର ଏହି ଆବିଷ୍କାରର ନାଁ ଦେଇଥିଲେ ‘ବ୍ଲିବର୍‌-ବ୍ଲବର’। ଏହି ଗମ୍‌୍‌କୁ ପାଟିରେ ବେଲୁନ୍‌ ପରି ଫୁଲେଇ ହେଉଥିଲା। ହେଲେ ଏହା ସାଧାରଣ ଚୁଇଂଗମ୍‌ଠାରୁ କମ୍‌ ସ୍ବାଦିଷ୍ଟ ଥିଲା। ତେଣୁ ଏହାକୁ ସେ ବଜାରକୁ ଛାଡି ନ ଥିଲେ॥ ୧୯୨୮ରେ ଫ୍ଲିୟରଙ୍କ କର୍ମଚାରୀ ଓ୍ବାଲ୍ଟର ଡିଏମର୍‌ ବ୍ଲିବର-ବ୍ଲବର୍‌ ଫର୍ମୁଲାରେ ଆଉ କିଛି ପରିବର୍ତ୍ତନ ଆଣି ପ୍ରଥମ ସଫଳ ବବଲ୍‌ ଗମ୍‌ ତିଆରି କରିଥିଲେ। ଯାହାକି ‘ଡବଲ୍‌ ବବଲ୍‌’ ନାମରେ ବଜାରରେ ଉପଲବ୍ଧ ହେଲା। ଆଉ ଏହା ଲୋକଙ୍କୁ ବେଶ୍‌ ପସନ୍ଦ ବି ଆସିଲା। ଏହାର ଗୋଲାପୀ ରଙ୍ଗ ପରବର୍ତ୍ତୀ ସମୟରେ ଗୋଲାପୀ ବବଲ୍‌ ଗମ୍‌ର ଧାରା ସୃଷ୍ଟି କଲା। ବବଲ୍‌ ଗମ୍‌ ତିଆରି ହେବା ପରେ ଫ୍ଲିୟର ଏହାର ପ୍ରଥମ ବ୍ୟାଚ୍‌ ୧୯୨୮ରେ ଏକ ଦୋକାନକୁ ପଠାଇଥିଲେ। ବିକ୍ରି କରିବା ଲାଗି ସେ ସେଲ୍ସମ୍ୟାନକୁ ବି ବବଲ୍‌ ଗମ୍‌ ଫୁଲେଇବାର ଉପାୟ ଶିଖାଇଥିଲେ। ଯଦ୍ୱାରା କି ଗ୍ରାହକମାନେ ତାଙ୍କଠାରୁ ଦେଖି କୌତୁହଳର ସହ ଶିଖିବେ ଓ କିଣିବେ। ଏହି ଯୋଜନା ସଫଳ ବି ହେଇଥିଲା। ଆଉ ଆଶ୍ଚର୍ଯ୍ୟର କଥା ତାଙ୍କର ପୁରା ବ୍ୟାଚ୍‌ ଗୋଟିଏ ଦିନରେ ବିକ୍ରି ହୋଇଯାଇଥିଲା।
ବବଲ୍‌ ଗମ୍‌ ଓ ଚୁଇଂଗମ୍‌ ଭିତରେ ଫରକ: ଏହି ଦୁଇଟି ଭିତରେ ବହୁତ ଛୋଟ ଫରକ ରହିଛି। ବବଲ୍‌ ଗମ୍‌କୁ ଆମେ ଖାଇବା ପରେ ଫୁଲେଇ ପାରୁ। କିନ୍ତୁ ଚୁଇଂ ଗମ୍‌କୁ ଫୁଲେଇ ହୁଏନା।

Share