Categories: ଫୁରସତ

୪୬୫ ଦିନ ଯାଏଁ ଫାଟିବନି ଫୋଟକା

ପାଣି ଫୋଟକାର ଆୟୁଷ ବା କେତେ? କିଛି କ୍ଷଣ ପରେ ତାହା ଫାଟିଯାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ବୈଜ୍ଞାନିକ ଏମିତି ଏକ ଫୋଟକା ତିଆରି କରିଛନ୍ତି ଯାହା ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଫାଟିବନି। ଫ୍ରାନ୍ସର କେତେଜଣ ବୈଜ୍ଞାନିକ ପ୍ଲାଷ୍ଟିକର ମାଇକ୍ରୋ ପାର୍ଟିକଲ ବା ଅତି କ୍ଷୁଦ୍ର କଣିକା, ଗ୍ଲିସରାଲ(ଏକପ୍ରକାରର ଅଠାଳିଆ ସ୍ପଷ୍ଟ ତରଳ ପଦାର୍ଥ) ଓ ପାଣିକୁ ବ୍ୟବହାର କରି ଲମ୍ବା ସମୟ ପର୍ଯ୍ୟନ୍ତ ନ ଫାଟିବା ଭଳି ଫୋଟକା ତିଆରି କରିଛନ୍ତି। ଏମିତି କି ଏହି ଫୋଟକା ୪୬୫ ଦିନ ପର୍ଯ୍ୟନ୍ତ ନ ଫାଟି ରହିପାରିବ। ଏହିସବୁ ଉପାଦାନ ଫୋଟକାର ସେହିସବୁ କାରକଗୁଡିକୁ ଅଟକାଇଥାଏ ଯାହା ଫୋଟକା ଶୀଘ୍ର ଫାଟିବାର କାରଣ ହୋଇଥାଏ। ସାଧାରଣତଃ ଫୋଟକାରେ ତରଳ ପଦାର୍ଥ ତଳଭାଗରେ ରହିଯାଏ ଓ ଉପରଭାଗରେ ଏକ ପତଳା ପରଦା ଭଳି ରହେ। ତେଣୁ ଏହା ଶୀଘ୍ର ଫାଟିଯାଏ। ତାସହ ବାଷ୍ପୀକରଣ ଫୋଟକାର ଶକ୍ତିକୁ କମ୍‌ କରିଦିଏ। କିନ୍ତୁ ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ଏହି ଫୋଟକାରେ ପ୍ଲାଷ୍ଟିକ କଣିକା ସବୁବେଳେ ଫୋଟକାର ପାଣି ସହ ଲାଗି ରହେ। ଫଳରେ ଫୋଟକାର ମୋଟେଇ ବଜାୟ ରହେ। ଆଉ ଗ୍ଲିସରାଲ ବାୟୁର ଆର୍ଦ୍ରତାକୁ ଅବଶୋଷିତ କରି ବାଷ୍ପୀକରଣକୁ ରୋକି ଥାଏ। ତେଣୁ ଫୋଟକା ଅଧିକ ସମୟ ପର୍ଯ୍ୟନ୍ତ ନ ଫାଟି ରହି ପାରୁଛି। ହେଲେ ଫାଟିବା ପୂର୍ବରୁ ଉକ୍ତ ଫୋଟକାର ରଙ୍ଗ ପରିବର୍ତ୍ତିତ ହୋଇ ସବୁଜ ହୋଇଯାଇଥିଲା। ଯାହାକି ଫୋଟକା ଫାଟିବାର ସଂକେତ ଥିଲା। ବୈଜ୍ଞାନିକଙ୍କ ଅନୁସାରେ ରୋଗାଣୁମାନେ ଫୋଟକାରେ ନିବାସ କରିବାରୁ ଏହାର ସଂରଚନା ଦୁର୍ବଳ ହୋଇଗଲା। ଆଉ ତାହା ଫାଟିଗଲା।

Share