ବୁଗୁଡ଼ା,୧୯ା୧(ଡି.ଏନ୍.ଏ.): ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତଥା ଐତିହାସିକ ଶୈବପୀଠ ବୁଦ୍ଧଖୋଲ ପାଦଦେଶରେ ଜାନୁୟାରୀ ୨୭, ୨୮, ୨୯ ତାରିଖ ୩ ଦିନ ଧରି ବୁଦ୍ଧଖୋଲ ମହୋତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଅନ୍ତିମ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବୁଦ୍ଧଖୋଲ ଉନ୍ନୟନ ସମିତି ତଥା ମହୋତ୍ସବ କମିଟି ସଭାପତି ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ବୁଦ୍ଧଖୋଲ କଲ୍ୟାଣ ମଣ୍ଡପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଥିଲା ବେଳେ ବଣ୍ଟନ ଦାୟିତ୍ୱ ସମ୍ପାଦନ କରିବା ପାଇଁ ସମସ୍ତ ସଦସ୍ୟ ସହଯୋଗ କରିବା ନେଇ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପରାମର୍ଶ ଦେଇଥିଲେ। ବୈଠକରେ ବୁଗୁଡା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା, ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ଧରଣୀଧର ପଣ୍ଡା, ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ, ବ୍ଳକ ଅଧ୍ୟକ୍ଷା ପ୍ରତିନିଧି କେ. ନୀଳମାଧବ ଆଚାରୀ, ବୁଗୁଡା ଏନ୍ଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, କବିରାଜ ଗୌଡ, କେ. ତ୍ରିଲୋଚନ ଦୋରା ଏବଂ ସମିତିର ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ।