Categories: ଜାତୀୟ

ମଙ୍ଗଳବାର ଉପସ୍ଥାପନ ହେବ କେଜ୍‌ରିଓ୍ବାଲ ସରକାରଙ୍କ ବଜେଟ

ନୂଆଦିଲ୍ଲୀ,୨୦।୩: ଦିଲ୍ଲୀବାସୀଙ୍କ ପାଇଁ ମଙ୍ଗଳବାର ଏକ ବିଶେଷ ଦିନ। କାରଣ ମଙ୍ଗଳବାର ସକାଳ ୧୧ଟାରେ ଦିଲ୍ଲୀ ବିଧାନସଭାରେ ବଜେଟ ଉପସ୍ଥାପନ କରାଯିବ। ରାଜ୍ୟର ନୂତନ ଅର୍ଥମନ୍ତ୍ରୀ କୈଳାଶ ଗେହଲଟ ପ୍ରଥମ ଥର ପାଇଁ ଦିଲ୍ଲୀର ବଜେଟ ଉପସ୍ଥାପନ କରିବେ। ସବୁବର୍ଷ ଭଳି ଚଳିତ ଥର ମଧ୍ୟ ବଜେଟରେ ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବ। ସେହିପରି ଚଳିତ ବର୍ଷ ବଜେଟରେ କେଜ୍‌ରିଓ୍ବାଲ ସରକାର ଏମ୍‌ସିଡି ଉପରେ ବିଶେଷ ଧ୍ୟାନ ଦେଇପାରନ୍ତି। କାରଣ ଏମ୍‌ସିଡିରେ କ୍ଷମତା ହାସଲ କରିବା ପରେ ଅରବିନ୍ଦ କେଜ୍‌ରିିୱାଲ ଏବଂ ତାଙ୍କ ସରକାରଙ୍କ ଫୋକସ୍‌ରେ ଏମ୍‌ସିଡିର ସ୍କୁଲ ଏବଂ ଡାକ୍ତରଖାନା ଠିକ୍‌ କରିବା ସହିତ ଅଳିଆ ଆବର୍ଜନାକୁ ଦୂର କରିବା ଉପରେ ରହିବ। ସୂଚନା ମୁତାବକ, ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀରେ ଅରବିନ୍ଦ କେଜ୍‌ରିୱାଲ ସରକାର ଗଠନ ହେବା ପରଠାରୁ ମନୀଷ ସିସୋଡିଆ ଲଗାତାର ୮ବର୍ଷ ଧରି ଅର୍ଥମନ୍ତ୍ରୀ ଭାବେ ବଜେଟ ଉପସ୍ଥାପନ କରିଆସୁଥିଲେ। ହେଲେ ଫେବୃଆରୀ ୨୬ରେ ମଦ ନୀତି ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ହେବା ପରେ ମନୀଷ ସିସୋଡିଆ ଫେବୃଆରୀ ୨୮ରେ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଅର୍ଥ ବିଭାଗର ଦାୟିତ୍ୱ କୈଳାଶ ଗେହଲଟଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଦିଲ୍ଲୀ ସରକାରଙ୍କ ଅନୁଯାୟୀ ମନୀଷ ସିସୋଡିଆଙ୍କ ନେତୃତ୍ୱରେ ଏହି ବଜେଟର ସମ୍ପୂର୍ଣ୍ଣ ରୂପରେଖ ପ୍ରସ୍ତୁତ କରାଯାଇଛି। ଜେଲ ଯିବା ପୂର୍ବରୁ ସିସୋଡିଆ ଏହି ବଜେଟ ସମ୍ବନ୍ଧରେ ପ୍ରାୟ ସମସ୍ତ ପ୍ରସ୍ତୁତି ଶେଷ କରିଥିଲେ।

Share