Categories: ଜାତୀୟ

ଆଜିଠୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩୧।୧(ପି.ଟି.): ପାର୍ଲାମେଣ୍ଟର ବଜେଟ ଅଧିବେଶନ ବୁଧବାର ଆରମ୍ଭ ହେଉଛି। ଚଳିତ ଲୋକ ସଭାର ଏହା ଶେଷ ଅଧିବେଶନ। ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ଗୃହକାର୍ଯ୍ୟ ପରିଚାଳନାରେ ସହଯୋଗ ପାଇଁ ସରକାର ବିରୋଧୀ ଦଳଗୁଡ଼ିକୁ ନିବେଦନ କରିଛନ୍ତି। ଆଗାମୀ ଏପ୍ରିଲ-ମେ’ରେ ଲୋକ ସଭା ନିର୍ବାଚନ ହେବାକୁ ଥିବାବେଳେ ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ନିମ୍ନ ସଦନରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ। ନୂଆ ସରକାର ଆସିବା ପରେ ସମ୍ପୂର୍ଣ୍ଣ ବଜେଟ ଅଣାଯିବ। ସପ୍ତଦଶ ଲୋକ ସଭାର ଏହି ସଂକ୍ଷିପ୍ତ ଅଧିବେଶନ
ଆଜିଠୁ ବଜେଟ …
ଫେବୃଆରୀ ୯ରେ ଶେଷ ହେବ। ଉକ୍ତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଅନ୍ତରୀଣ ବଜେଟ ଉପସ୍ଥାପନ ଏବଂ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତର ରହିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ କହିଛନ୍ତି।
ଗତ ଅଧିବେଶନରେ ନିଲମ୍ବିତ ହୋଇଥିବା ୧୪ ଏମ୍‌ପି ବଜେଟ ଅଧିବେଶନରେ ଯୋଗଦେବେ। ଏଥିପାଇଁ ସରକାରଙ୍କ ଅନୁରୋଧକୁ ଉଭୟ ଗୃହର ଅଧ୍ୟକ୍ଷ ଗ୍ରହଣ କରିଥିବା ଜୋଷୀ କହିଛନ୍ତି। ଗୃହରେ ପ୍ଲାକାର୍ଡ ଦେଖାଇବା ସହ ଗୃହକାର୍ଯ୍ୟ ଚଳାଇ ନ ଦେବା କାରଣରୁ ଗତ ଶୀତ ଅଧିବେଶନ କାଳରେ ଲୋକ ସଭାରୁ ୧୦୦ ଏବଂ ରାଜ୍ୟ ସଭାରୁ ୪୬ ସଦସ୍ୟଙ୍କୁ ନିଲମ୍ବନ କରାଯାଇଥିଲା। ସମସ୍ତଙ୍କ ନିଲମ୍ବନ ପ୍ରତ୍ୟାହାର ହେବ। ଏଥିପାଇଁ ଲୋକ ସଭା ବାଚସ୍ପତି ଏବଂ ରାଜ୍ୟ ସଭା ଅଧ୍ୟକ୍ଷଙ୍କୁ ସରକାର ଅନୁରୋଧ କରିଥିବାବେଳେ ସେମାନେ ରାଜି ହୋଇଥିବା ଜୋଷୀ କହିଛନ୍ତି।
ଅଧିବେଶନ ପୂର୍ବରୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିରୋଧୀ ନେତାମାନେ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। କଂଗ୍ରେସ ବେରୋଜଗାରି, ଦରଦାମ୍‌ ବୃଦ୍ଧି, କୃଷି ସଙ୍କଟ ଏବଂ ମଣିପୁର ଜାତିଆଣ ହିଂସା ପ୍ରସଙ୍ଗ ଆଣିବ ବୋଲି ଦଳୀୟ ନେତା କେ. ସୁରେଶ କହିଥିଲେ। ପଶ୍ଚିମବଙ୍ଗକୁ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ବକେୟା ଦେୟକୁ ଅର୍ଥମନ୍ତ୍ରୀ ଅନ୍ତରୀଣ ବଜେଟରେ ସ୍ଥାନ ଦେବାକୁ ଟିଏମ୍‌ସି ନେତା ସୁଦୀପ ବନ୍ଦୋପାଧ୍ୟାୟ କହିଥିଲେ। ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ସରକାର ବିରୋଧୀ ନେତାମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Share