
ନୂଆଦିଲ୍ଲୀ,୩୦।୧: ମୋଦି ସରକାର ୨୦୨୫ ବଜେଟରେ ମଧ୍ୟବିତ୍ତ ବର୍ଗଙ୍କୁ ଟିକସ ବ୍ୟବସ୍ଥାରେ ବଡ଼ ଆଶ୍ୱସ୍ତି ଦେବାକୁ ପ୍ରସ୍ତୁତ ହେଉଛନ୍ତି। ମୁଦ୍ରାସ୍ଫୀତିର ବର୍ଦ୍ଧିତ ଚାପ ଏବଂ ସାଧାରଣ ନାଗରିକଙ୍କ ବଜେଟ ଉପରେ ଏହାର ପ୍ରଭାବକୁ ବିଚାରକୁ ନେଇ ଏଥର ବଜେଟରେ ଏପରି ଅନେକ ବ୍ୟବସ୍ଥା ଅନ୍ତର୍ଭୁକ୍ତ ହୋଇପାରେ। ଯାହାର ସିଧାସଳଖ ପ୍ରଭାବ କରଦାତାଙ୍କ ପକେଟ ଉପରେ ପଡ଼ିବ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ପରିବର୍ତ୍ତନଗୁଡ଼ିକ କେବଳ ମଧ୍ୟବିତ୍ତ ବର୍ଗଙ୍କ ଆର୍ଥିକ ବୋଝକୁ ହ୍ରାସ କରିବ ନାହିଁ ବରଂ ଅର୍ଥନୀତିକୁ ମଧ୍ୟ ପ୍ରୋତ୍ସାହନ ଦେବ।
ବର୍ତ୍ତମାନ ପୁରୁଣା ଏବଂ ନୂତନ ଆୟକର ବ୍ୟବସ୍ଥାରେ ମୌଳିକ ଛାଡ ସୀମା ବୃଦ୍ଧି କରିବା ପାଇଁ ବିଚାର କରାଯାଉଛି। ରିପୋର୍ଟ ଅନୁସାରେ, ଏହା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯାଇପାରେ। ମୁଦ୍ରାସ୍ଫୀତି ସହିତ ତାଳ ଦେଇ ଚାଲିବା ଏବଂ ମଧ୍ୟବିତ୍ତ ବର୍ଗର କ୍ରୟ ଶକ୍ତି ବୃଦ୍ଧି କରିବା ପାଇଁ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି।
ଗୃହ ଋଣ ନେଉଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର ଅଛି। ଗୃହ ଋଣ ସୁଧ ଉପରେ ଟିକସ ଛାଡ଼ ସୀମା ୨ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାର ପ୍ରସ୍ତାବ ଅଛି। ଏହା ସହିତ ମୂଳ ରାଶି ଉପରେ ଡିଡକ୍ସନ ୧.୫ ଲକ୍ଷ ଟଙ୍କାରୁ ୩ ଲକ୍ଷ ପର୍ଯ୍ୟନ୍ତ କରାଯାଇପାରେ। ଏହି ପଦକ୍ଷେପ ରିଅଲ ଇଷ୍ଟେଟ କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହିତ କରିବ।
ସ୍ବାସ୍ଥ୍ୟ ବୀମା ପ୍ରିମିୟମ ଉପରେ ରିହାତି ସୀମା ବୃଦ୍ଧି କରିବା ପାଇଁ ପ୍ରସ୍ତୁତି ଚାଲିଛି। ୬୦ ବର୍ଷରୁ କମ ବୟସ୍କଙ୍କ ପାଇଁ ଏହାକୁ ୨୫,୦୦୦ଟଙ୍କାରୁ ୫୦,୦୦୦ ଟଙ୍କା ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ୫୦,୦୦୦ ଟଙ୍କାରୁ ୭୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇପାରେ। ଏହା ପରିବାରଗୁଡ଼ିକୁ ସ୍ବାାସ୍ଥ୍ୟ ଖର୍ଚ୍ଚରେ ଆଶ୍ୱସ୍ତି ପ୍ରଦାନ କରିବ।