ଡ. ସନ୍ତୋଷ କୁମାର ମହାପାତ୍ର
ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୩-୨୪ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିଛନ୍ତି। ଏହା ତାଙ୍କ ଜୀବନର ୫ମ ତଥା ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବର ପୂର୍ଣ୍ଣାଙ୍ଗ ବଜେଟ। ସାଧାରଣତଃ ଯେଉଁ ଦଳ ଶାସନ କରୁ ବା ଯିଏ ପ୍ରଧାନମନ୍ତ୍ରୀ ବା ଅର୍ଥମନ୍ତ୍ରୀ ହୁଅନ୍ତୁନା କାହିଁକି, ପ୍ରତ୍ୟେକ ବର୍ଷ ଅଧିକ ଟିକସ ଆଦାୟ ବୃଦ୍ଧି ଘଟିବ ଏବଂ ବଜେଟର ଆକାର ବୃଦ୍ଧି ପାଇବ। ଏପରିକି ମୁଦ୍ରାସ୍ଫୀତି ଯୋଗୁ ନାମାଙ୍କନ ମୂଲ୍ୟରେ ଆପେ ଆପେ ବୃଦ୍ଧି ହେବ। ୨୦୨୨-୨୩ରେ ମୁଦ୍ରାସ୍ଫୀତି ଯୋଗୁ ନାମାଙ୍କନ ଜିଡିପି ଧାର୍ଯ୍ୟ ୧୧.୧% ବଦଳରେ୧୫.୪% ବୃଦ୍ଧି ପାଇବା ଯୋଗୁ ରାଜସ୍ବ ବୃଦ୍ଧି ସହିତ ବିଭିନ୍ନ ନିଅଣ୍ଟକୁ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ନିୟନ୍ତ୍ରଣ କରିଛନ୍ତି।
ଯେପରି ୧୯୫୦-୫୧ରେ ନାମାଙ୍କନ ଜିଡିପି ୧୦,୦୩୬ କୋଟି ଟଙ୍କା ଥିଲାବେଳେ ବଜେଟର ଆକାର ମାତ୍ର ୩୫୭.୪୯ କୋଟି ଟଙ୍କା ଥିଲା। ୨୦୨୨-୨୩ରେ ନାମାଙ୍କନ ଜିଡିପି ୨୭୩.୦୮ ଲକ୍ଷ କୋଟି ଟଙ୍କା ଏବଂ ୨୦୨୩-୨୪ରେ ୩୦୧. ୭୫ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ୨୦୨୨-୨୩ରେ ମୋଟ ବ୍ୟୟ ବରାଦ ୩୯.୪୫ ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା ବେଳେ ସଂଶୋଧିତ ଅଟକଳରେ ଏହା ୪୧.୯ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୨୩-୨୪ ବଜେଟରେ ୪୫ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଇଛି। ଯେହେତୁ ବଜେଟ ଆକାର ଆପେ ଆପେ ବୃଦ୍ଧି ପାଉଛି, ଯିଏ ଶାସନ କରୁନା କାହିଁକି କିଛି ନୂତନ ଯୋଜନା କରିବ, ପୁରୁଣା ଯୋଜନାକୁ ଅଧିକ ସକ୍ରିୟ କରିବ। ଏଣୁ କିଛି ଯୋଜନାକୁ ଭିତ୍ତିକରି ବଜେଟର ଭଲ ମନ୍ଦ ବିଚାର କରାଯାଏ ନାହିଁ।
ଏକ ବଜେଟରେ ବ୍ୟୟ ବୃଦ୍ଧି ଘଟିଛି ବୋଲି କୁହାଯିବ, ଯଦି ଏହା ନାମାଙ୍କନ ବୃଦ୍ଧି ସହିତ ତାଳ ଦେଇ ବୃଦ୍ଧିପାଏ ବା ମୋଟ ଜିଡିପି ଅନୁସାରେ ବୃଦ୍ଧିପାଏ। ଅର୍ଥମନ୍ତ୍ରୀ ୨୦୨୨-୨୩ ବଜେଟ ଆକଳନ ବେଳେ ନାମାଙ୍କନ ଅଭିବୃଦ୍ଧି ୧୧.୧% ଏବଂ ବାସ୍ତବ ଅଭିବୃଦ୍ଧି ୮ରୁ ୮.୫% ହେବ ବୋଲି ଆକଳନ କରିଥିଲେ। କିନ୍ତୁ ବାସ୍ତବ ଅଭିବୃଦ୍ଧି ମାତ୍ର ୭% ହୋଇଛି। ମୁଦ୍ରାସ୍ଫୀତି ଯୋଗୁ ନାମାଙ୍କନ ଅଭିବୃଦ୍ଧି ୧୯% ହୋଇଛି। ୨୦୨୩-୨୪ ନାମାଙ୍କନ ଅଭିବୃଦ୍ଧି ୧୦.୫% ଧାର୍ଯ୍ୟ କରାଯାଇଥିଲାବେଳେ ବଜେଟ ବ୍ୟୟବରାଦ ଗତବର୍ଷର ସଂଶୋଧିତ ଅଟକଳ ଉପରେ ମାତ୍ର ୭% ବୃଦ୍ଧି କରାଯାଇଛି, ଯାହା ଧାର୍ଯ୍ୟ ନାମାଙ୍କନ ବୃଦ୍ଧିଠାରୁ କେବଳ କମ୍ ନୁହେଁ, ବାସ୍ତବ ବୃଦ୍ଧି (ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ) ମଧ୍ୟ ବିଯୁକ୍ତାତ୍ମକ ହେବ। ଏହା ସୂଚାଉଛି ଏକ ସଙ୍କୁଚିତ ବଜେଟ ଉପସ୍ଥାପନ କରାଯାଇଛି। ଅତ୍ୟନ୍ତ ଚିନ୍ତାଜନକ ୨୦୨୦-୨୧ରେ ମୋଟ ବ୍ୟୟବରାଦ ଜିଡିପିର ୨୦% ଥିଲାବେଳେ ୨୦୨୧-୨୨ରେ ୧୫.୯୩%, ୨୦୨୨-୨୩ରେ ୧୫.୩୪%କୁ ଖସି ଆସିଛି। ୨୦୨୩-୨୪ରେ ଏହା ହ୍ରାସ ପାଇ ୧୪.୯୧% ହେବ ବୋଲି ଆକଳନ କରାଯାଇଛି। ପୁନଶ୍ଚ ଅନ୍ୟ ଦେଶ ତୁଳନାରେ ଭାରତରେ ଏହା ବହୁତ କମ। ଏହା ଫ୍ରାନ୍ସରେ ୫୯.୦୫%, ୟୁରୋ ଅଞ୍ଚଳ (୫୪.୧%), ସିଡେନ (୪୯.୮୬ %), ଆମେରିକାରେ ୪୨.୯୬%, ବ୍ରିଟେନ (୪୪.୮୭%)।
କେନ୍ଦ୍ର ସରକାରଙ୍କ ବ୍ୟୟ ଜିଡିପି ଅନୁସାରେ କେବଳ ସଙ୍କୁଚିତ ହେଉନି ବରଂ ରାଜ୍ୟକୁ ଦେଉଥିବା ତାଙ୍କ ଅଂଶ ହ୍ରାସ ପାଉଛି, ଯାହା ସଙ୍ଘୀୟ ବ୍ୟବସ୍ଥାର ପରିପନ୍ଥୀ। ଅର୍ଥ କମିଶନ ଅନୁସାରେ ବିଭାଜିତ ପାଣ୍ଠିରୁ ରାଜ୍ୟଗୁଡ଼ିକ ୪୨% (ଜମ୍ମୁ ଓ କଶ୍ମୀରକୁ ଦୁଇଭାଗ ଯୋଗୁ ପଞ୍ଚଦଶ ଅର୍ଥ କମିଶନ ଅନୁସାରେ ୪୧%) ପାଇବା କଥା। କିନ୍ତୁ ସରଚାର୍ଜ, ସେସ୍ ଯୋଗୁ ଏହା କମ୍ ମିଳୁଛି। କାରଣ ସରଚାର୍ଜ, ସେସ୍ ଦ୍ୱାରା ସଂଗୃହିତ ସମ୍ବଳରେ ରାଜ୍ୟର କିଛି ଅଂଶ ନଥାଏ। ୨୦୧୬-୧୭ ବେଳେ ରାଜ୍ୟଗୁଡ଼ିକ କେନ୍ଦ୍ରୀୟ ବିଭାଜନ ପାଣ୍ଠିରୁ ୩୫% ପାଉଥିଲା ବେଳେ ୨୦୨୨-୨୩ରେ ୩୧.୧୭% ପାଇଥିଲେ। ୨୦୨୩-୨୪ରେ ଏହା ୩୦.୩% ହ୍ରାସ ପାଇବ। ପୁନଶ୍ଚ ଜିଡିପି ଅନୁସାରେ ରାଜ୍ୟକୁ କେନ୍ଦ୍ରର ମୋଟ ସମ୍ବଳ ହସ୍ତାନ୍ତର ଯାହା ୨୦୨୦-୨୧ରେ ୬.୯୧% ଥିଲା, ତାହା ୨୦୨୨-୨୩ରେ ୬.୨୬%କୁ ହ୍ରାସ ପାଇଥିଲା। ପୁନଶ୍ଚ ୨୦୨୩-୨୪ରେ ଏହା ୬.୧୭%କୁ ହ୍ରାସ ପାଇବ।
ପ୍ରଧାନମନ୍ତ୍ରୀ କହିଛନ୍ତି , ବଜେଟ ଅମୃତ କାଳର ପ୍ରଥମ ବଜେଟ ଏବଂ ଏହା ସମାଜର ଅବହେଳିତ ଶ୍ରେଣୀଙ୍କ ଆଶା ପୂରଣ କରିବ। କିନ୍ତୁ ଯେଉଁ ମନରେଗା ଯୋଜନା ଅନେକ ଗରିବଙ୍କୁ ନିଯୁକ୍ତି ଯୋଗାଇଥିଲା, ବିଶେଷକରି କରୋନା ସମୟରେ ତାଙ୍କ ଜୀବନ ଓ ଜୀବିକା ବଞ୍ଚାଇଦେଇଛି ସେହି ଯୋଜନାରେ ବ୍ୟୟ ବରାଦ ହ୍ରାସ କରାଯାଇଛି। ୨୦୨୨-୨୩ର ସଂଶୋଧିତ ଅଟକଳରେ ଏହି ଯୋଜନା ବାବଦ ବ୍ୟୟ ବରାଦ ୯୮,୦୦୦ କୋଟି ଟଙ୍କା ହୋଇଥିଲାବେଳେ ୨୦୨୨-୨୩ ସଂଶୋଧିତ ଅଟକଳରେ ଏହା ୮୯,୪୦୦ କୋଟି ଟଙ୍କାକୁ ହ୍ରାସ ପାଇଥିଲା। ଏହି ବଜେଟରେ ମାତ୍ର ୬୦,୦୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ଗରିବ, ଚାଷୀଙ୍କ ପାଇଁ ଆବଶ୍ୟକ ପେଟ୍ରୋଲିୟମ, ଖାଦ୍ୟ ଓ ତୈଳ ସବ୍ସିଡି ପରିମାଣ ୨୦୨୨-୨୩ ଅନୁସାରେ ୨୮.୩% ହ୍ରାସ କରାଯାଇ ଏହି ବଜେଟରେ ୩.୭୪ ଲକ୍ଷ କୋଟି ଟଙ୍କାରେ ଧାର୍ଯ୍ୟ କରାଯାଇଛି। ଚାଷୀଙ୍କ ମୁଣ୍ଡପିଛା ଆୟ ଦେଶବାସୀଙ୍କ ହାରାହାରି ମୁଣ୍ଡପିଛା ଆୟଠାରୁ କମ ରହିଛି। ମହାମାରୀ ସମୟରେ କୃଷିକ୍ଷେତ୍ରରେ ଯୁକ୍ତାତ୍ମକ ଅଭିବୃଦ୍ଧି ହୋଇଥିଲା। କିନ୍ତୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ବ୍ୟୟ ବରାଦ ୭% ହ୍ରାସ କରାଯାଇଛି। ପିଏମ୍ କିଶାନ ଯୋଜନାରେ ବ୍ୟୟ ବରାଦ ଆଦୌ ବୃଦ୍ଧି ହୋଇନାହିଁ। ଶିକ୍ଷା ସ୍ବାସ୍ଥ୍ୟ ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବ୍ୟୟବରାଦ ସାମାନ୍ୟ ବୃଦ୍ଧି ଘଟିଛି। ବଜେଟରେ, ପୁଞ୍ଜି ବ୍ୟୟ କଥା କୁହାଯାଉଛି, କିନ୍ତୁ ଅନେକ ପ୍ରକଳ୍ପ ଠିକ୍ ସମୟରେ ସମ୍ପୂର୍ଣ୍ଣ ନ ହେବା ଯୋଗୁ ଧାର୍ଯ୍ୟ ବ୍ୟୟବରାଦ ବୃଦ୍ଧି ପାଉଛି। ସଞ୍ଚୟ ଓ ନିବେଶ ୨୦୦୭-୦୮ଠାରୁ ଜିଡିପି ଅନୁସାରେ ଦ୍ରୁତ ଗତିରେ ହ୍ରାସ ପାଇ ଚାଲିଛି।
ଏକ ବଜେଟକୁ ଭଲ କୁହାଯିବ, ଯଦି ବିତ୍ତୀୟ ଶୃଙ୍ଖଳା ବଜାୟ ରଖିବା ସହିତ ସରକାର ପୁଞ୍ଜିପତି, ଶିଳ୍ପପତିଙ୍କ ତଥା ଧନିକ ଶ୍ରେଣୀଠାରୁ ଅଧିକ ହାରରେ ଟିକସ ଆଦାୟ କରି ବିଭିନ୍ନ କ୍ଷେତ୍ରରେ ମୁଦ୍ରାସ୍ଫୀତିକୁ ବିଚାରକୁ ନେଲା ପରେ ଆହୁରି ଅଧିକ ବ୍ୟୟ କରନ୍ତି ଏବଂ ବିଭିନ୍ନ ଜନହିତକର କ୍ଷେତ୍ରରେ ଅଧିକ ବ୍ୟୟ କରିବା ସହିତ ନିଯୁକ୍ତି ବୃଦ୍ଧି ଓ ଦାରିଦ୍ର୍ୟ, ବେକାରି, କ୍ଷୁଧା, ବାସହୀନତା ଓ ବୈଷମ୍ୟ ହ୍ରାସ କରିବା ସହିତ ସାମ୍ପ୍ରତିକ ଆର୍ଥିକ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିଥା’ନ୍ତି ଏବଂ ସର୍ବୋପରି ସାଧାରଣ ଜନତାଙ୍କ ଜୀବନ ଧାରଣର ମାନରେ ଉନ୍ନତି ଆଣିବା ସହିତ ପ୍ରୟାସ କରିଥା’ନ୍ତି। କିନ୍ତୁ ବଜେଟରେ ଏସବୁ ପ୍ରତି ଧ୍ୟାନ ଦିଆଯାଇନାହିଁ। ଅତି ଧନୀଙ୍କ ଉପରୁ ଆଦାୟ ହେଉଥିବା ସରଚାର୍ଜ ହାର ହ୍ରାସ କରିବା ବେଳେ ଗରିବ ଓ ମଧ୍ୟବିତ୍ତକୁ ବାଧୁଥିବା ଓ ମୁଦ୍ରାସ୍ଫୀତି ବୃଦ୍ଧି କରୁଥିବା ପରୋକ୍ଷ କର ମାଧ୍ୟମରେ ଅଧିକ ସମ୍ବଳ ସଂଗ୍ରହ କରୁଛନ୍ତି। ଏହି ବଜେଟ ଗରିବଙ୍କ ପାଇଁ ନୁହେଁ, ଧନୀଙ୍କ ପାଇଁ ଉଦ୍ଦିଷ୍ଟ।
ମୋ: ୯୪୩୭୨୦୮୭୬୨