Categories: ଜାତୀୟ

ଦିନକ ପରେ ବଜେଟ ଅଧିବେଶନ: ସର୍ବଦଳୀୟ ବୈଠକ ଆଜି

ନୂଆଦିଲ୍ଲୀ,୩୦।୧: ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆସନ୍ତା ୩୧ ତାରିଖରୁ ଆରମ୍ଭ ହେଉଥିବାବେଳେ ସରକାର ଏହା ପୂର୍ବରୁ ମଙ୍ଗଳବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ପାର୍ଲାମେଣ୍ଟରେ ବିଭିନ୍ନ ଦଳର ଗୃହର ନେତାମାନଙ୍କୁ ବୈଠକକୁ ଡକାଯାଇଛି। ପ୍ରତ୍ୟେକ ଅଧିବେଶନ ପୂର୍ବରୁ ଗୃହର ନେତାମାନଙ୍କ ବୈଠକ ଡାକିବା ଏକ ପ୍ରଥା ରହିଆସିଛି। ଉକ୍ତ ବୈଠକରେ ବିଭିନ୍ନ ଦଳ ପାର୍ଲାମେଣ୍ଟରେ କେଉଁ ପ୍ରସଙ୍ଗ ଉଠଇବାକୁ ଚାହୁଁଛନ୍ତି ତାହା ଆଲୋଚନା ହେବା ସହ ସରକାରଙ୍କ ଏଜେଣ୍ଡା ସମ୍ପର୍କରେ ସେମାନଙ୍କୁ ଜଣାଇ ଦିଆଯାଇଥାଏ। ଏଥିସହ ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ସରକାର ସମସ୍ତଙ୍କ ସହଯୋଗ କାମନା କରିଥାନ୍ତି। ଆଗକୁ ଲୋକ ସଭା ନିର୍ବାଚନ ଥିବାରୁ ଜାନୁଆରୀ ୩୧ରୁ ଫେବୃଆରୀ ୯ ପର୍ଯ୍ୟନ୍ତ ଏକ ସଂକ୍ଷିପ୍ତ ଅଧିବେଶନ ଅନୁଷ୍ଠିତ ହେବ। ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ। ନିର୍ବାଚନ ପରେ ନୂଆ ସରକାର ପୂର୍ଣ୍ଣକାଳୀନ ବଜେଟ ଉପସ୍ଥାପନ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହ ବଜେଟ ଅଧିବେଶନ ଆରମ୍ଭ ହେବ।

Share