ନୂଆଦିଲ୍ଲୀ,୧୩ ।୩: ପାର୍ଲାମେଣ୍ଟର ବଜେଟ ଅଧିବେଶନର ଦ୍ୱିତୀୟ ଚରଣ ସୋମବାରଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଯେତେବେଳେ ଭାଜପା ରାହୁଲ ଗାନ୍ଧୀ ଲଣ୍ଡନରେ ଦେଇଥିବା ବୟାନକୁ ନେଇ କଥା ଉଠାଇ କଂଗ୍ରେସକୁ ଘେରିଲା, ଏପଟେ ବିରୋଧୀ ଅଦାନୀଙ୍କ ଉପରେ ହିଣ୍ଡନବର୍ଗ ରିପୋର୍ଟର ମାମଲା ଉଠାଇଲା । ଏହାରି ଭିତରେ ପାର୍ଲାମେଣ୍ଟର ଦୁଇଟି ଯାକ ସଦନ ଲୋକ ସଭା ଓ ରାଜ୍ୟ ସଭାରେ ହଟ୍ଟଗୋଳ ଲାଗି ରହିଥିଲା । ପ୍ରଥମେ ଗୃହକୁ ଦିନ ୨ଟା ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିବା ବେଳେ ହଟ୍ଟଗୋଳ ନ କମିବାରୁ ଉଭୟ ଗୃହକୁ ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବି କରାଯାଇଛି ।