Categories: ଜାତୀୟ

ଆଜିଠୁ ବଜେଟ୍‌ ଅଧିବେଶନ

ନୂଆଦିଲ୍ଲୀ,୨୯।୧: ପାର୍ଲାମେଣ୍ଟର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେଉଥିବାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଥମ ଦିନରେ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନରତ ଚାଷୀଙ୍କ ସମର୍ଥନରେ ୧୮ଟି ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବା ଲାଗି ଗୁରୁବାର ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ରାଜ୍ୟ ସଭାର ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ ଘୋଷଣା କରିଛନ୍ତି। ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ରାଜଧାନୀରେ ଘଟିଥିବା ହିଂସାକାଣ୍ଡରେ କେନ୍ଦ୍ର ଭୂମିକାର ନିରପେକ୍ଷ ତଦନ୍ତ ପାଇଁ ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି। ସେମାନେ ୩ କୃଷି ଆଇନ ପ୍ରତ୍ୟାହାର ଦାବି କରିବା ସହ ଲକ୍ଷ ଲକ୍ଷ ଚାଷୀଙ୍କ ଦାବି ସତ୍ତ୍ୱେ ସରକାରଙ୍କ ଟାଳଟୁଳ ନୀତିକୁ ସମାଲୋଚନା କରିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ବର୍ଜନ କରିବା ଲାଗି ନିଷ୍ପତ୍ତି ନେଇଥିବା ଦଳଗୁଡ଼ିକ ହେଲେ କଂଗ୍ରେସ, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି), ନ୍ୟାଶନାଲ କନ୍‌ଫରେନ୍ସ, ଡିଏମ୍‌କେ, ତୃଣମୂଳ କଂଗ୍ରେସ (ଟିଏମ୍‌ସି), ଶିବସେନା, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି), ସିପିଆଇ, ସିପିଏମ୍‌, ଇଣ୍ଡିଆନ୍‌ ୟୁନିୟନ ମୁସ୍‌ଲିମ୍‌ ଲିଗ୍‌, ଆର୍‌ଏସ୍‌ପି, ପିଡିପି, ଏମ୍‌ଡିଏମ୍‌କେ, କେରଳ କଂଗ୍ରେସ (ଏମ୍‌), ଏଏପି, ଶିରୋମଣି ଅକାଳୀ ଦଳ ଏବଂ ଅଲ୍‌ ଇଣ୍ଡିଆ ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ। ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର ଅହଂକାରୀ ଏବଂ ଅଗଣତାନ୍ତ୍ରିକ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଚାଷୀ ବିରୋଧୀ ଆଇନ ପ୍ରତ୍ୟାହାର ଲାଗି ସେମାନେ ମିଳିତ ଭାବେ ଦାବି କରିବେ ବୋଲି ଏକ ମିଳିତ ବିବୃତିରେ କହିଛନ୍ତି।
ସରକାର ୩ କୃଷି ଆଇନ ପ୍ରତ୍ୟାହାର କରିବା ପରିବର୍ତ୍ତେ ଚାଷୀଙ୍କୁ ତଡ଼ିବା ପାଇଁ ପାଣିମାଡ଼, ଲୁହବୁହା ଗ୍ୟାସ ପ୍ରୟୋଗ ସାଙ୍ଗକୁ ଲାଠିଚାଳନା କରୁଛନ୍ତି ବୋଲି କଂଗ୍ରେସ ନେତା ଆଜାଦଙ୍କ ସମେତ ଉପନେତା ଆନନ୍ଦ ଶର୍ମା ଏବଂ ଲୋକ ସଭାରେ କଂଗ୍ରେସର ମୁଖ୍ୟ ହୁଇପ୍‌ କେ. ସୁରେଶ ଖବରଦାତା ସମ୍ମିଳନୀରେ କହିଥିଲେ। ଦୁଇମାସ ହେଲା ଚାଷୀମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇ ଆସୁଥିଲେ। ଜାନୁୟାରୀ ୨୬ ଟ୍ରାକ୍ଟର ରାଲି ହିଂସାରେ ପରିଣତ ହେବା ପଛରେ କିଛି ବାହ୍ୟ ଷଡ଼ଯନ୍ତ୍ର ରହିଛି, ଯାହାକୁ ସମ୍ମିଳିତ ଭାବେ ନିନ୍ଦା କରାଯାଉଛି ବୋଲି ବିରୋଧୀ ଦଳଗୁଡ଼ିକ କହିଛନ୍ତି। ହିଂସା ପଛରେ ରହିଥିବା ସରକାରଙ୍କ ଅସାଧୁ ଭୂମିକାକୁ ଲୋକଲୋଚନକୁ ଆଣିବା ଲାଗି ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି ସେମାନେ ଦାବି କରିଛନ୍ତି।

Share