ରାଜସ୍ବ ଗ୍ରାମ ଭାବେ ସ୍ବୀକୃତି ପାଇଲା ବୁଢ଼ୀପଦର

କେସିଙ୍ଗା,୧୭ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସି ପଞ୍ଚାୟତର ବୁଢ଼ୀପଦର ଗ୍ରାମକୁ ରାଜ୍ୟ ସରକାର ରାଜସ୍ବ ଗ୍ରାମ ଭାବେ ଗୁରୁବାର ସ୍ବୀକୃତି ପ୍ରଦାନ କରିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ଓ ଉଲ୍ଲାସ ଖେଳିଯାଇଛି। ବୁଢ଼ୀପଦର ଗ୍ରାମର ପ୍ରହରୀ ମଣ୍ଡପରେ କଳସ ସ୍ଥାପନ କରି ପୂଜାର୍ଚ୍ଚନା କରି ରାଜସ୍ବ କର୍ମଚାରୀଙ୍କୁ ସ୍ବାଗତ କରାଯାଇଥିଲା। ଏହି ଗ୍ରାମରେ ୨୫ଶହରୁ ଊଦ୍ଧର୍‌ବ ଲୋକେ ବସବାସ କରନ୍ତି। ବୁଢ଼ୀପଦର ଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ କରିବାକୁ ଦୀର୍ଘ ୨୦ବର୍ଷ ଧରି ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ। ରାଜସ୍ବ ଗ୍ରାମର ମାନ୍ୟତା ପାଇ ନ ଥିବାରୁ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିଲେ। ଗ୍ରାମବାସୀ ଜିଲାପାଳଙ୍କଠାରୁ ରାଜସ୍ବ ବିଭାଗ ଓ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତିକରି ଜିଲାପାଳ ରାଜ୍ୟ ସରକାରଙ୍କ ନିକଟକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିବା ପାଇଁ ଏକ ସର୍ଭେ କରି ପଠାଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ଅସୁବିଧାକୁ ଦୂର କରିବା ପାଇଁ ଉକ୍ତ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ସ୍ବକୃତି ପ୍ରଦାନ କରିଥିବାରୁ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ, ଜିଲାପାଳ ଓ କେସିଙ୍ଗା ତହସିଲଦାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ କେସିଙ୍ଗା ତହସିଲଦାର ଯୁଗେଶ୍ୱର ସାହୁଙ୍କ ତତ୍ତ୍ୱାବଧାନରେ ଶିରୋଲ ରାଜସ୍ବ ନିରୀକ୍ଷକ ଡିଙ୍ଗର ପୁଟେଲ, ସହକାରୀ ରାଜସ୍ବ ନିରୀକ୍ଷକ ଶୁଭଚିନ୍ତକ ନାୟକଙ୍କ ସମେତ ବାଲିସି ପଞ୍ଚାୟତର ସରପଞ୍ଚ ଭରତୀ ସୁନା, ଯୁବନେତା ଭାବନୀ ସାହୁ, ଓ୍ବାର୍ଡ ସଭ୍ୟ, ବିରଞ୍ଚି ସାହୁ, ଜଗନ୍ନାଥ ମାଝି, ଭଗବାନ ମାଝି, ବୀରସେନ ମାଝି, ରତନ ମାଝି, ନବୀନ ସାହୁ,କବି ଧାରୁଆ ପ୍ରମୁଖ ସମସ୍ତ ଗ୍ରାମବାସୀଙ୍କ ଉପସ୍ଥିତିରେ ପ୍ରସ୍ତାବିତ ନୂତନ ମୌଜାର ସୀମା ନିର୍ଦ୍ଧାରଣ କରାଯାଇଥିଲା। ଏହି ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପାଇବାରୁ ରାଜସ୍ବ ନିରୀକ୍ଷକ ଡିଙ୍ଗର ପୁଟେଲ ଘୋଷଣା କରି ଗ୍ରାମବାସୀଙ୍କ ନିଜସ୍ବ ସୁବିଧା ସୁଯୋଗ ପାଇବେ ବୋଲି ପ୍ରକାଶ କରିଥିଲେ।