ରାସ୍ତାରେ ମଳତ୍ୟାଗ କଲା ମଇଁଷି: ମାଲିକ ଦେଲେ ୧୦ ହଜାର ଜରିମାନା

ଗ୍ବାଲିୟର,୨୯।୧୨: ନିର୍ମାଣ କରାଯାଇଥିବା ନୂଆ ରାସ୍ତାରେ ମଇଁଷି ମଳତ୍ୟାଗ କରିବାରୁ ମାଲିକଙ୍କୁ ଜରିମାନା ଦେବାକୁ ପଡ଼ିଛି। ମଧ୍ୟପ୍ରଦେଶର ଗ୍ବାଲିୟରର ଡି.ବି. ସିଟି ରୋଡ୍‌ର ନିର୍ମାଣ କରାଯାଉଥିଲା। ଏହି ସମୟରେ ରାସ୍ତାରେ ଯାଉଥିବା ମଇଁଷି ମଳତ୍ୟାଗ କରିଥିଲା। ନଗର ନିଗମର କମିଶନର ସନ୍ଦୀପ୍‌ ମାକିନ୍‌ ରାସ୍ତାକାମ ତଦାରଖ ପାଇଁ ସେଠାରେ ପହଞ୍ଚିଥିଲେ। ମଇଁଷି ମଳତ୍ୟାଗ କରିବା ଦେଖି ସେ ମାଲିକଙ୍କୁ ୧୦ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ କରିଥିଲେ। କମିଶନରଙ୍କୁ ଏହା ଭଲ ନ ଲାଗିବାରୁ ସେ ଏପରି କରିଥିବା ନଗର ନିଗମ ଜୋନାଲ ଅଧିକାରୀ ମନିଷ କନୌଜିଆ କହିଛନ୍ତି। ମଇଁଷି ମାଲିକ ବେତାଲ ସିଂଙ୍କୁ ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଦିନରେ ସର୍ବସାଧାରଣ ରାସ୍ତାକୁ ଅପରିଷ୍କାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏଭଳି ଦଣ୍ଡାଦେଶ କରାଯିବ ବୋଲି ଜୋନାଲ ଅଧିକାରୀ ସୂଚନା ଦେଇଛନ୍ତି।

Share