ଜଗରିଜୋର-ଭୋପାଳ ମୁଖ୍ୟ ରାସ୍ତାରେ ମଇଁଷି ଗୋଠ

ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜଗରିଜୋରଠାରୁ ଭୋପାଳ ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ରାସ୍ତାର ପାଣିଖିଆ ସାନ୍ତାଳପଡ଼ା ଗ୍ରାମ ସନ୍ନିକଟରେ ବହୁ ମଇଁଷି ଗୋଠ କରି ବନ୍ଧାଯାଉଛି। ଫଳରେ ଏହି ମୁଖ୍ୟ ରାସ୍ତାରେ ଆମ୍ବୁଲାନ୍ସ, ଦମକଳ ଗାଡ଼ି, ସାମୁଦ୍ରିକ ଥାନା, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ କାର୍ଯ୍ୟାଳୟକୁ ଯାତାୟାତ ପାଇଁ ବିଭିନ୍ନ ସମୟରେ ସମସ୍ୟା ଉପୁଜୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଅନେକ ସମୟରେ ବିଭିନ୍ନ ଗାଡ଼ି ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଅପରପକ୍ଷରେ ସ୍ଥାନୀୟ ନାଞ୍ଜୁରା ଗ୍ରାମର କେତେଜଣ ମଇଁଷି ପାଳକଙ୍କର ସ୍ଥାନ ଅଭାବରୁ ଏହି ମୁଖ୍ୟ ରାସ୍ତାରେ ସୁରକ୍ଷିତ ମଣି ଗୋଠ କରି ବାନ୍ଧୁଥିବା ଦେଖିବାକୁ ମିଳୁଛି। କାରଣ ସରକାରୀ ଜମି ଗୋଚର, ଅନାବାଦୀ, ପତିତ, ଜଙ୍ଗଲ ଜମି ଜବରଦଖଲ କରାଯିବା ସହ ଚାଷ ଜମି ଘରବାଡ଼ି କରି ଦଖଲ ହୋଇଥିବାରୁ ଚାରଣ ଭୂମି ଅଭାବ ଦେଖାଦେଇଛି। ଫଳରେ ମଇଁଷି ପାଳକମାନେ ଉଚ୍ଚ ସ୍ଥାନ ମଣି ଏହି ମୁଖ୍ୟ ରାସ୍ତାକୁ ନିଜ ଅକ୍ତିଆର କରିଥିବା କୁହାଯାଉଛି। ସେହିପରି ଗୋଗୁଆ ରାଜସ୍ବ ସର୍କଲ ଅଞ୍ଚଳରେ ପ୍ରଭାବଶାଳୀ ବ୍ୟକ୍ତିମାନେ ବିପୁଳ ପରିମାଣରେ ସରକାରୀ ଜମି ଜବରଦଖଲ କରିଥିବା କୁହାଯାଉଛି। ତୁରନ୍ତ ଏହି ମୁଖ୍ୟ ରାସ୍ତାରୁ ମଇଁଷି ଗୋଠ ହଟାଇବା ପାଇଁ ସ୍ଥାନୀୟ ପାଣିଖିଆ ଆଦିବାସୀ ଅଧ୍ୟୁଷିତ ସାନ୍ତାଳ ପଡ଼ାର ସୁନାକର ମାରାଣ୍ଡି, ଲବ ମାରାଣ୍ଡି, କୁସୁ ମାରାଣ୍ଡି, ଶଙ୍କର ମାରାଣ୍ଡି, ଚରଣ ଟୁଡୁ, ବାବୁଲି ଟୁଡୁ, ଚୈତନ୍ୟ କିସ୍କୁ, ସୁରେଶ ସୋରେନ ଓ ଗୁରୁଭା ହାଁସଦା ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିକାରୀ ସଞ୍ଜୟ କୁମାର ମଲିକଙ୍କୁ ପଚାରିବାରେ ଖୁବ୍‌ଶୀଘ୍ର ଏହି ମୁଖ୍ୟ ରାସ୍ତାରେ ମଇଁଷି ଗୋଠ ହଟାଇ ମୁକ୍ତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Share