ବୁଗୁଡ଼ା,୧୩।୫(ଡି.ଏନ.ଏ.):ଚଳିତ ଏପ୍ରିଲ ୨୬ ତାରିଖରୁ ଶୁଭାରମ୍ଭ ହୋଇଥିବା ସପ୍ତଦଶ ଦିବସୀୟ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି। ଶ୍ରଦ୍ଧାଳୁଙ୍କ ଠାରୁ ମେଲାଣି ନେଇ ପଞ୍ଚ ଠାକୁରାଣୀ ସ୍ବ ସ୍ବ ମନ୍ଦିରକୁ ପ୍ର୍ଯଯାବର୍ତ୍ତନ କରିଥିବା ବେଳେ ଅନ୍ତିମ ନଗର ଭ୍ରମଣି ସହ ରାବଣ ପୋଡି କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶେଷ ପଞ୍ଚ ଠାକୁରାଣୀ ଯାତ୍ରା କମିଟି ସଭାପତି ଶ୍ରୀକାନ୍ତ ସାହୁଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ବେଳେ ପୂର୍ବାହ୍ନରେ ସ୍ଥାନୀୟ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତି ପ୍ରକାରେ ମା’ଙ୍କ ପୂଜାର୍ଚ୍ଚନା ଓ ହୋମ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ୧୦୮ ଆଳତି , ପୂର୍ଣ୍ଣାହୁତି, ସଙ୍କୁଡି ଭୋଗ ଏବଂ ପୁଷ୍ପାଞ୍ଜଳି ପରେ ମା’ ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ସହ ମାନସିକଧାରୀ ମହିଳା ଆରତୀ ବେହେରା, ଏସ୍ ମନୋଜା ରାଣୀ ପାତ୍ର, କୁନି ସାହୁ, କେ.ଶୁଭଶ୍ରୀ ପାତ୍ର. ସୁଷମା ସାହୁ ପ୍ରମୁଖ ପଞ୍ଚ ଠାକୁରାଣୀଙ୍କ ଘଟ ଧାରଣ କରି ବଳଦେବ ମନ୍ଦିର, ଥାନା ରୋଡ, ରାବଣ ପୋଡି ସ୍ଥଳ, ହାଇସ୍କୁଲ ଛକ, ମଦନ ମୋହନ ଛକ, ପୋଲସରା ରୋଡ, ନୂଆଁ ସାହି ଆଦି ପରିକ୍ରମା ପରେ ନେଳିଆ ବନ୍ଧ ତୁଠରେ ପହଞ୍ଚିଥିଲେ। ସେଠାରେ ଯଥା ବିଧି ପ୍ରକାରେ ପୂଜାର୍ଚ୍ଚନା ପରେ ପଞ୍ଚ ଠାକୁରାଣୀ ନିଜ ନିଜର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।