ଚାରା ନଷ୍ଟ କରି ରାସ୍ତା ନିର୍ମାଣ

କେନ୍ଦୁଝର,୧୨ା୬ (ସ୍ବ.ପ୍ର.): କେନ୍ଦୁଝରଗଡ଼ ପୌରପାଳିକା ଅନ୍ତର୍ଗତ ୧୫ ନଂ. ୱାର୍ଡ ୪୯ ନଂ. ଜାତୀୟ ରାଜପଥ ମୋଚିଗାଁ ଓଭରବ୍ରିଜ ନିକଟରେ ଓଡ଼ିଶା ବନ ଉନ୍ନୟନ ନିଗମ ଦ୍ୱାରା ବନୀକରଣ ନଷ୍ଟ କରି ରାସ୍ତା ନିର୍ମାଣ ଚାଲିଛି। ଜିଲା ମୁଖ୍ୟାଳୟଠାରୁ ମାତ୍ର ୨ କି.ମି. ଦୂରରେ ଲକ୍ଷାଧିକ ଟଙ୍କାର ଚାରା ନଷ୍ଟ ହେଉଥିଲେ ବି ବିଭାଗ ନିକଟରେ ଏହାର ସୂଚନା ନାହିଁ। କାରଖାନା ବର୍ଜ୍ୟବସ୍ତୁ କଳାଗୁଣ୍ଡ ଓ ମାଟି ପକାଇ ରାସ୍ତା ନିର୍ମାଣ ଚାଲିଛି। ଫଳରେ ମାଟି ଓ କଳାଗୁଣ୍ଡ ପଡ଼ି ଗଛ ନଷ୍ଟ ହେଉଛି।
ସୂଚନାଯୋଗ୍ୟ, ଓଡ଼ିଶା ବନ ଉନ୍ନୟନ ନିଗମ ପକ୍ଷରୁ ୨୦୨୧-୨୨ରେ ଜାତୀୟ ରାଜପଥ ପାର୍ଶ୍ୱ ଧ୍ରୁର୍ପଦା, ବାଲିଆଗୋଡ଼ା ଓ ମେଡିକାଲ କଲେଜ ରାସ୍ତାର ଉଭୟ ପାର୍ଶ୍ୱରେ ୧୪ ହଜାର ୩୮ ଗଛ ଲଗାଯାଇଛି। ତେବେ ତଦାରଖ ଅଭାବରୁ ଅନେକ ଗଛ ମରିଯାଇଥିବାବେଳେ ଏବେ ବେଆଇନ ଭାବେ ରାସ୍ତା ନିର୍ମାଣରେ ବାକି ଚାରା ନଷ୍ଟ ହୋଇଗଲାଣି। ରେରା ଆଇନ ଉଲ୍ଲଂଘନ କରି କିଛି ଲୋକ ଜମି ପ୍ଲଟିଂ କରି ବିକ୍ରି ପାଇଁ ରାସ୍ତା କରୁଛନ୍ତି। ଏଥିପାଇଁ ପୌରପାଳିକା ଅନୁମତି ଦେଇଛି କି ନାହିଁ ତାହାର ଯାଞ୍ଚ କରି ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ନେଇ ଓଏଫ୍‌ଡିସି (ଓଡ଼ିଶା ବନ ଉନ୍ନୟନ ନିଗମ) ଡିଭିଜନାଲ ମ୍ୟାନେଜର ମନୋରଞ୍ଜନ ପାତ୍ର କହିଛନ୍ତି, ଘଟଣାର ତଦନ୍ତ କରି ପଦକ୍ଷେପ ନିଆଯିବ। ଓଏଫ୍‌ଡିସି ଡେପୁଟି ଡିଭିଜନାଲ ମ୍ୟାନେଜର ଶିନି ମହାନ୍ତି କହିଛନ୍ତି, ବନୀକରଣ ନଷ୍ଟ କରିଥିବା ଲୋକଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବ।

Share