ରାସ୍ତା ନିର୍ମାଣ କର, ନ ହେଲେ ପଞ୍ଚାୟତ ଭୋଟ୍‌ ଦେବୁ ନାହିଁ

ଭଦ୍ରକ ଅଫିସ,୨୨।୧୦: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ନଗୁଅଁା ପଞ୍ଚାୟତର ୯ ନଂ. ୱାର୍ଡ ମହାପୋଖରୀ ଶାସନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡ଼ିଛି। ବହୁବାର ଜିଲା ପ୍ରଶାସନଠାରୁ ଆରମ୍ଭ କରି ସ୍ଥାନୀୟ ଅଧିକାରୀଙ୍କୁ ଭେଟିବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଉକ୍ତ ଗ୍ରାମରେ ୭୦ ପରିବାର ବସବାସ କରୁଥିବା ବେଳେ ଭୋଟର ସଂଖ୍ୟା ୩୦୦। ରାସ୍ତା ନିର୍ମାଣ ନ ହେଲେ ପଞ୍ଚାୟତ ନିର୍ବାଚନ ଭୋଟ୍‌ ବର୍ଜନ କରିବେ ବୋଲି ମହାପୋଖରୀ ଶାସନ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି।
ସେମାନେ ଅଭିଯୋଗ କରିଛନ୍ତି ଯେ, ରାସ୍ତା ଖରାପ ଯୋଗୁ ବଜାର, ମେଡିକାଲ ଓ ପିଲାମାନେ ସ୍କୁଲ ଯିବା ଲାଗି ହଇରାଣ ହେଉଛନ୍ତି। ବର୍ଷାଦିନ ଆସିଲେ ୪ ମାସ ନାହିଁ ନ ଥିବା ହଇରାଣ ହେବାକୁ ପଡୁଛି। ଜରୁରୀ ସମୟରେ ଆମ୍ବୁଲାନ୍ସ ଗ୍ରାମକୁ ଆସୁପାରୁ ନାହିଁ। ଦୀର୍ଘଦିନ ଧରି ଏଭଳି ସମସ୍ୟା ଲାଗି ରହିଛି। ଗ୍ରାମକୁ ସଂଯୋଗ କରୁଥିବା ଏହି ୧ କି.ମି. ରାସ୍ତା ମରାମତି ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉ ନାହିଁ। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଶୁକ୍ରବାର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି।

Share