ରାଜଧାନୀରେ ବଡ଼ ର଼୍ୟାକେଟ: ବିଲ୍ଡରଙ୍କୁ ହନିଟ୍ରାପ୍‌ରେ ଫସାଇ କାର୍‌, ଟଙ୍କା ଲୁଟ୍‌

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜଧାନୀରେ ହନିଟ୍ରାପ୍‌ ର଼୍ୟାକେଟ ସକ୍ରିୟ ହୋଇଉଠିଛି। ଲୁଟେରାମାନେ ସୁନ୍ଦରୀ ଝିଅଙ୍କ ସହ ମଉଜମସ୍ତି କରିବା ଲୋଭ ଦେଖାଇ ଧନୀ ଲୋକଙ୍କୁ ଫସାଇ ସର୍ବସ୍ବ ଲୁଟୁଛନ୍ତି। ଏଭଳି ଏକ ର଼୍ୟାକେଟରେ ଫସିଛନ୍ତି ତାଳଚେରର ଜଣେ ବିଲ୍ଡର ରଥି ଅଳଙ୍କାର ସିଂ। ଲୁଟେରାମାନେ ତାଙ୍କଠାରୁ ଏକ ଦାମୀ କାର, ୨ଟି ମୋବାଇଲ୍‌ ଫୋନ୍‌ ଓ ୧୧ହଜାର ଟଙ୍କା ଲୁଟି ନେଇଥିଲେ। ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଉକ୍ତ ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ସେମାନେ ହେଲେ ଗଞ୍ଜାମ ଜିଲା ଆସିକାର ଅମର ସେନାପତି ଓ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ମନୋଜ ଗୌଡ଼। ପୋଲିସ ସେମାନଙ୍କ ନିକଟରୁ ଲୁଟ୍‌ କାର୍‌ ଓ ୨ଟି ମୋବାଇଲ ଫୋନ୍‌ ଜବତ କରିଛି। ଏଥିସହ ମାମଲା ନଂ.୪୯୧ ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ଚଢ଼ାଉ ଆରମ୍ଭ କରିଛି।
ପୋଲିସ ସୂଚନାନୁଯାୟୀ, ଗତ ୧୩ ତାରିଖରେ ବିଲ୍ଡର ରଥି ଅଳଙ୍କାର ସିଂ ତାଙ୍କ ଡ୍ରାଇଭର ଓ ଜଣେ ସାଙ୍ଗଙ୍କ ସହ ତାଳଚେରରୁ କାର୍‌ରେ ଭୁବନେଶ୍ୱର ଆସିଥିଲେ। ଏଠାରେ ପହଞ୍ଚତ୍ବାପରେ ଜଣେ ଲୁଟେରା ବନ୍ଧୁ ବୋଲି ପରିଚୟ ଦେଇ ରଥିଙ୍କ ସହ କଥା ହୋଇଥିଲେ। ଏହା ଭିତରେ ସୁନ୍ଦରୀ ତରୁଣୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ପ୍ରସ୍ତାବ ଦେଇଥିଲେ। ରଥି ରାଜି ହେବା ପରେ ଲୁଟେରା ଜଣକ ଯୁବତୀ ଚୟନ ପାଇଁ ତାଙ୍କୁ ଭରତପୁର ଛକକୁ ଡାକିଥିଲେ। ସେଠାରେ ରଥିଙ୍କୁ ଦୁଇଜଣ ଲୁଟେରା ଯୁବତୀଙ୍କ ଫଟୋ ଦେଖାଇ ଚନ୍ଦ୍ରଶେଖରପୁର ଅଞ୍ଚଳକୁ ଯିବାକୁ ପରାମର୍ଶ ଦେଇଥିଲେ। ଏହାପରେ ଡ୍ରାଇଭର ଓ ସାଙ୍ଗଙ୍କୁ ନ ନେଇ ରଥି ଏକୁଟିଆ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚତ୍ଥିଲେ। ଲୁଟେରାମାନେ ତାଙ୍କୁ ଯୁବତୀଙ୍କ ପାଖରେ ଛାଡ଼ିବାକୁ କହି ଏକ ଘର ଭିତରେ ପୂରାଇ କବାଟ ବନ୍ଦ କରି ନିସ୍ତୁକ ମାଡ଼ ମାରିଥିଲେ। ଏଥିସହ ତାଙ୍କଠାରୁ ୧୧ହଜାର ଟଙ୍କା, ୨ଟି ମୋବାଇଲ୍‌ ଫୋନ୍‌ ଓ କାରକୁ ଲୁଟି ନେଇ ଫେରାର ହୋଇଯାଇଥିଲେ। ଲୋକ ଲଜ୍ଜାରେ ରଥି ଥାନାକୁ ଅଭିଯୋଗ କରିବାକୁ ନ ଯାଇ ସିଧା ତାଳଚେର ପଳାଇଥିଲେ। ପରିବାର ଲୋକେ କାର୍‌ କ’ଣ ହେଲା ବୋଲି ପଚାରିବାରୁ ରଥି ସବୁକଥା କହିଥିଲେ। ପରେ ସେ ପରିବାର ଲୋକଙ୍କ ସହ ଆସି ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ରଥିଙ୍କୁ କଲ୍‌ କରିଥିବା ଲୁଟେରାଙ୍କ ଏକାଧିକ ଫୋନ୍‌ ନମ୍ବରକୁ ଯାଞ୍ଚପରେ ଉକ୍ତ ର଼୍ୟାକେଟର ସୁରାକ ମିଳିଥିଲା। ହେଲେ ସେମାନେ ଭିନ୍ନ ଭିନ୍ନ ସ୍ଥାନରେ ରହୁଥିବାରୁ ସମସ୍ୟା ହୋଇଥିଲା। ଶେଷରେ ବୁଧବାର ରାତିରେ ଦୁଇଜଣ ଲୁଟେରା ମନୋଜ ଓ ଅମର ଖଣ୍ଡଗିରି ଅଞ୍ଚଳକୁ ଆସିଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିଲା। ପୂର୍ବରୁ ଏହି ଗ୍ୟାଙ୍ଗ ଏୟାରଫିଲ୍ଡ ଥାନା ଅଞ୍ଚଳରୁ ଏହିପରି ଭାବେ ଫସାଇ ଲୁଟ୍‌ କରିଥିବା ପୋଲିସ ଜାଣିବାକୁ ପାଇଛି।

Share